ଉଦ୍ଘାଟନ ହେଲା ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଏବଂ କ୍ରୀଡ଼ା ଛାତ୍ରାବାସ

ପୁରୀ: ପୁରୀରେ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ସହ କ୍ରୀଡ଼ା ଛାତ୍ରାବାସକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ପରିସରରେ ଏକ ସ୍ବତନ୍ତ୍ର ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ଏହି କ୍ରିକେଟ ଷ୍ଟାଡିୟମକୁ ଉଦଘାଟନ କରିଛନ୍ତି ।

ଓଡ଼ିଶାର କ୍ରୀଡାବିତଙ୍କୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ଓଡ଼ିଶା ସରକାର ସବୁବେଳେ ଉଦ୍ୟମ କରି ଆସୁଛନ୍ତି । ଏଥିପାଇଁ ଓଡ଼ିଶାର ସମସ୍ତ ଜିଲ୍ଲାରେ ଅତ୍ୟାଧୁନିକ ଷ୍ଟାଡିୟମ ସହିତ କ୍ରୀଡ଼ା ଛାତ୍ରାବାସର ବ୍ୟବସ୍ଥା କରାଯାଇଛି । ସେହିପରି ସ୍କୁଲ୍ ସମୟରୁ ପିଲାମାନେ କିଭଳି ଭଲ କ୍ରୀଡାବିତ ହେବେ ସେନେଇ ସମସ୍ତ ପ୍ରଶିକ୍ଷଣ ମଧ୍ୟ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି ।

କ୍ରୀଡ଼ା ଛାତ୍ରାବାସରେ ପିଲାମାନଙ୍କ ମାଗଣାରେ ରହିବା, ଖାଇବା ସହ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯାଉଛି । ଆଗାମୀ ଦିନରେ ଓଡିଶା କ୍ରୀଡ଼ା କ୍ଷେତ୍ରରେ ବହୁ ସଫଳତା ଅର୍ଜନ କରି ଦେଶ ବିଦେଶରେ ଓଡ଼ିଶାର ପିଲାମାନେ ରାଜ୍ୟର ସମ୍ମାନ ଆହୁରି ବୃଦ୍ଧି କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ତେବେ ପୁରୀ ପେଣ୍ଠକଟା ଠାରେ ୭୭ କୋଟି ଟଙ୍କା ବିନିମୟରେ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ, କ୍ରୀଡ଼ା ଛାତ୍ରାବାସ, ଇଣ୍ଡୋର ହଲ୍, ସୁଇମିଙ୍ଗ ପୁଲ୍ ରହିଛି । ଯେଉଁଠାରେ କି ରାଜ୍ୟ ଏବଂ ଜାତୀୟ ସ୍ତରର ସମସ୍ତ ପ୍ରକାର କ୍ରିକେଟ ମ୍ୟାଚ୍, ଆଥଲେଟିକ୍ ଗେମ୍ ଅନୁଷ୍ଠିତ ହୋଇପାରିବ ।

ଆଜିର ଏହି ଉଦଘାଟନ ଉତ୍ସବ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ବୁଦ୍ଧିଜୀବୀ, ସେବାୟତ ଓ କ୍ରୀଡାବିତ ମାନେ ଯୋଗ ଦେଇଥିଲେ ।