ପୁଣି ନିରାଶ କରିଛନ୍ତି ସ୍ପ୍ରିଣ୍ଟର ଦୂତୀ ଚାନ୍ଦ

ଆଜି ୨୦୦ ମିଟର ଦୌଡ଼ରେ ହାରି ଯାଇଛନ୍ତି ଦୂତୀ । ପୂର୍ବରୁ ୧୦୦ ମିଟର ଦୌଡ଼ରେ ମଧ୍ୟ ନିରାଶ କରିଥିବା ଦୂତୀ ଆଜି ୨୦୦ମିଟରରେ ହିଟ୍‌-୪ରେ ସପ୍ତମ ସ୍ଥାନରେ ରହି ସେ ତାଙ୍କ ଟୋକିଓ ଅଲିମ୍ପିକ୍ସ ଅଭିଯାନ ଶେଷ କରିଛନ୍ତି।

୨୦୦ ମିଟର ଅତିକ୍ରମ କରିବା ପାଇଁ ଦୂତି ୨୩.୮୫ ସେକେଣ୍ଡ ସମୟ ନେଇଥିଲେ, ଯାହା ତାଙ୍କର ନିଜର ଶ୍ରେଷ୍ଠ ଟାଇମିଂ ଠାରୁ ଅଧିକ ଥିଲା। ୨୦୦ ମିଟରରେ ଦୂତୀଙ୍କ ଶ୍ରେଷ୍ଠ ଟାଇମିଂ ୨୩.୦୦ ସେକେଣ୍ଡ ରହିଛି। ୨୦୧୮ରେ ଜାକର୍ତ୍ତାରେ ଅନୁଷ୍ଠିତ ଏସିଆନ୍ସ ଗେମ୍ସରେ ସେ ଏହି ଟାଇମିଂ ହାସଲ କରିଥିଲେ।ଆଜି ୨୦୦ ମିଟରରେ ହିଟ୍-୪ରେ ଦୂତୀଙ୍କ ସହିତ ଆମେରିକାର ଗାବ୍ରିଏଲ୍ ଥୋମାସ୍, ନାମିବିଆର କ୍ରିଷ୍ଟାଇନ୍ ବୋମା, ବ୍ରାଜିଲର ଭିକ୍ଟୋରିଆ କ୍ରିଷ୍ଟିନା ରୋସା, ନାଇଜେରିଆର ଆମିନାଟୁ ସେୟନୀ ଓ ଜର୍ମାନୀର ଜେ.ବି ୱେସୋଲୀ, ଜାମ୍ବିଆର ରୋଡା ଜୋଭବୁ ଦୌଡ଼ିଥିଲେ। ସେମାନଙ୍କ ମଧ୍ୟରୁ କ୍ରିଷ୍ଟାଇନ୍ ବୋମା ୨୨.୧୧ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତ୍ୱକୁ ଅତିକ୍ରମ କରି ପ୍ରଥମ ସ୍ଥାନରେ ରହିଥିବା ବେଳେ ଆମେରିକାର ଗାବ୍ରିଏଲ୍ ଥୋମାସ୍ ୨୨.୨୦ ସେକେଣ୍ଡ ସହ ଦ୍ୱିତୀୟ ଓ ଆମିନାଟୁ ସେୟନୀ ୨୨.୭୨ ସେକେଣ୍ଡ ସହ ତୃତୀୟ ସ୍ଥାନରେ ରହିଥିଲେ। ହିଟ୍‌-୪ରୁ ଏହି ତିନି ଜଣ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି।

Comments (0)
Add Comment