ସଂସଦରେ ଅଧିକାଂଶ ମହିଳା ମାନଙ୍କ ପ୍ରତିନିଧିତ୍ୱ ଗଣତନ୍ତ୍ରର ସ୍ୱର୍ଣ୍ଣିମ ଭବିଷ୍ୟତ ପାଇଁ ଶୁଭ ସୂଚନା – ମାନ୍ୟବର ରାଷ୍ଟ୍ରପତି
ଭୁବନେଶ୍ୱର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଂଚିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ I ଏହି ଅବସରରେ ରମାଦେବୀ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି ରାଷ୍ଟ୍ରପତି I ରାଷ୍ଟ୍ରପତି ନିଜ ଉଦବୋଧନ ରେ କହିଛନ୍ତି ଭାରତ ହେଉଛି ପୃଥିବୀର ସର୍ବବୃହତ ଗଣତନ୍ତ୍ର ଏବଂ ପ୍ରତିନିଧିତ୍ୱ ହେଉଛି ଏହାର ଆଧାର । ବର୍ତ୍ତମାନ ପଞ୍ଚାୟତରୁ ପାର୍ଲ୍ୟାମେଣ୍ଟ ପର୍ଯ୍ୟନ୍ତ ସବୁ ଗଣତାନ୍ତ୍ରିକ ସଂସ୍ଥାରେ ମହିଳା ମାନଙ୍କ ପ୍ରତିନିଧିତ୍ୱ ବଢିଚାଲିଛି । ପ୍ରଥମ ଥର ପାଇଁ ମହିଳା ସାଂସଦଙ୍କ ସଂଖ୍ୟା ୧୦୦ ଟିପିଛି । ପାର୍ଲ୍ୟାମେଣ୍ଟର ଉଭୟ ଗୃହରେ ଅଧୁନା ୧୧୫ ଜଣ ମହିଳା ସାଂସଦ ଅଛନ୍ତି । ଏହା ଆମ ଗଣତନ୍ତ୍ରର ବଡ ଉପଲବ୍ଧି । ଏହା ମଧ୍ୟ ଆମ ଗଣତନ୍ତ୍ରର ସ୍ୱର୍ଣ୍ଣିମ ଭବିଷ୍ୟତ ପାଇଁ ଶୁଭ ସୂଚନା ବୋଲି ରାଷ୍ଟ୍ରପତି କହିଛନ୍ତି ।
ଏହି ସମାବର୍ତ୍ତନ ସମାରୋହରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରମାଦେବୀ ବିଶ୍ୱ ବିଦ୍ୟାଳୟକୁ ଏକକ ଓ ବହୁମୁଖୀ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଏଥିପାଇଁ କେନ୍ଦ୍ର ସରକାର ସବୁପ୍ରକାର ସହଯୋଗ ପ୍ରଦାନ କରିବେ । ରମାଦେବୀ ବିଶ୍ୱବିଦ୍ୟାଳୟ ଓଡ଼ିଶାର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ । ତେଣୁ ପ୍ରାଥମିକତା ଭିତ୍ତିରେ ୟୁଜି ଓ ପିଜି କ୍ୟାମ୍ପସକୁ ବ୍ୟାପକ କରିବା ପାଇଁ ସାମୂହିକ ଉଦ୍ୟମ ହେବା ଦରକାର ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆମ ଓଡ଼ିଆ ସାମାଜିକ ଜୀବନରେ ମା’ସୁଭଦ୍ରାଙ୍କ ଠାରୁ ଆରମ୍ଭ କରି ସମ୍ମାନନୀୟା ଦ୍ରୌପଦୀ ମୁର୍ମୁ, ନାରୀନେତ୍ରୀ ଓ ମା’ ମାନଙ୍କର ବିଶେଷ ସ୍ଥାନ ଅଛି । ରମାଦେବୀ, ମାଳତୀ ଦେବୀଙ୍କ ଭଳି ଓଡିଆ ନେତ୍ରୀମାନେ ସୁଖ, ସ୍ୱାଚ୍ଛନ୍ଦ୍ୟ ଛାଡି ଘରର ଚଉକାଠରୁ ବାହାରି ଦେଶ ସେବା ପାଇଁ ବାହାରିଥିଲେ । ଏ ଦୁର୍ମୂଲ୍ୟ ବାର୍ତ୍ତା ବର୍ତ୍ତମାନର ଯୁବପିଢିଙ୍କ ପାଖରେ ପହଞ୍ଚାଇବା ଆମ କର୍ତ୍ତବ୍ୟ ହେବା ଉଚିତ୍ ।
ଅପରପକ୍ଷରେ ଦେଶରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଛାତ୍ରୀ ମାନଙ୍କ ସଂଖ୍ୟା ତୁଳନାତ୍ମକ ଭାବେ ଅଧିକ ହୋଇଛି । ତୁର୍କିରେ ଭୂମିକମ୍ପରେ ପ୍ରଭାବିତଙ୍କୁ ସାହାଯ୍ୟ କରିବାକୁ ଯାଇଥିବା ଭାରତୀୟ ମହିଳା ଯବାନ ମାନଙ୍କୁ ସେଠାକାର ମାଆ ସ୍ନେହ ଆଦର କରୁଛନ୍ତି । ଆମର ନାରୀ ଶକ୍ତି ବିଶ୍ୱର ସେବା କରିବା ପାଇଁ ଆଗେଇ ଆସିଲେଣି ।
ଚଳିତବର୍ଷ ଭାରତ ଜି-୨୦ର ଅଧ୍ୟକ୍ଷତା କରୁଥିବା ବେଳେ ଆସନ୍ତା ଏପ୍ରିଲ ମାସରେ ଓଡ଼ିଶାରେ ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନକୁ ନେଇ ଭବିଷ୍ୟତ କାର୍ଯ୍ୟ ଉପରେ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ବିଶେଷ ଭାବରେ ଗୃହ ବିଜ୍ଞାନ ବିଭାଗର ଛାତ୍ରୀମାନେ ରାଜ୍ୟକୁ ଆସୁଥିବା ଅତିଥି ମାନଙ୍କୁ ମାଣ୍ଡିଆ ଜାଉ ପରଷିବାର ଦାୟିତ୍ୱ ନିଅନ୍ତୁ ।
ଆଜି ସମାବର୍ତ୍ତନ ସମାରୋହରେ ସମ୍ମାନସୂଚକ ଉପାଧି, ସ୍ୱର୍ଣ୍ଣ ପଦକ ଏବଂ ପିଏଚଡି ଉପାଧି ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ହେଉଛି ଖୁସି ଏବଂ ଉଲ୍ଲାସର ଦିନରୁ ଦାୟିତ୍ୱ ନେବାର ଅବସର । ଆଜି ଉପାଧି ଗ୍ରହଣ କରିଥିବା ଛାତ୍ରୀଛାତ୍ରୀମାନେ ଏକବିଂଶ ଶତାବ୍ଦୀରେ ମାନବତାର ମର୍ଯ୍ୟାଦାକୁ ବଢାଇବେ ବୋଲି କେନ୍ଦ୍ରମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।