ଭୁବନେଶ୍ୱର: ଆଜିଠାରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଗସ୍ତ କାର୍ଯ୍ୟକ୍ରମ ଅବସରରେ ମହାମହିମ ଟ୍ରେନରେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ହେବା ପରେ ଓଡ଼ିଶାରେ ଏହା ତାଙ୍କର ପ୍ରଥମ ଟ୍ରେନ୍ ଯାତ୍ରା ହେବ। ଏଥିପାଇଁ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ‘ସାଲୁନ୍ ଟ୍ରେନ୍’ର ବ୍ୟବସ୍ଥା କରାଯାଇଛି। ନୂଆଦିଲ୍ଲୀରୁ ଆସିଥିବା ଏହି ବିଶେଷ ଟ୍ରେନରେ ସମସ୍ତ ଆଧୁନିକ ସୁବିଧା ସୁଯୋଗ ରହିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ‘ବ୍ଲୁବୁକ୍’ ନିୟମାବଳୀ ଅନୁଯାୟୀ ରାଷ୍ଟ୍ରପତିଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦୃଷ୍ଟିକୋଣରୁ ଏହି ସ୍ୱତନ୍ତ୍ର ସାଲୁନ୍ ଟ୍ରେନକୁ ଦୁଇଟି ଅନ୍ୟ ଟ୍ରେନ୍ ଏସକର୍ଟ (ଆଗପଛ ହୋଇ ଯାତ୍ରା) କରିବେ।