ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଅଧ୍ୟକ୍ଷତାରେ ବଜ୍ରପାତ ଜନିତ ଦୁର୍ଘଟଣା ହ୍ରାସ କରିବା ନେଇ ବୈଠକ

ଭୁବନେଶ୍ୱର : ସ୍ୱତନ୍ତ୍ର ରିଲିଫ୍‌ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ବଜ୍ରପାତ ଜନିତ ମୃତୁ୍ୟ ହ୍ରାସ ଦିଗରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଯୋଗଦେଇଥିଲେ । ଏବେ ବଜ୍ରପାତ, ବିଜୁଳି ଓ ବର୍ଷା ସଂପର୍କରେ ପାଣିପାଗ କେନ୍ଦ୍ର ପକ୍ଷରୁ ଆଗୁଆ ସୂଚନା ମିଳିପାରୁଛି । ଏହି ସତର୍କ ସୂଚନା ସମସ୍ତ ଜିଲ୍ଲାପାଳମାନଙ୍କୁ ଇମେଲ୍‌ ଓ ହ୍ୱଟସ୍‌ଆପ୍‌ ମାଧ୍ୟମରେ ଆଗୁଆ ଅବଗତ କରାଯାଉଛି ।
ବିଭିନ୍ନ ଜିଲ୍ଲାରୁ ବଜ୍ରପାତଜନିତ ଦୁର୍ଘଟଣାର ଖବର ଆସୁଥିବାବେଳେ ସେ ସଂପର୍କରେ ସତର୍କ ସୂଚନା ପାଇବା ମାତ୍ରେ ତୁରନ୍ତ ସ୍ଥାନୀୟ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ ଓ ସେ୍ୱଚ୍ଛାସେବୀ ଅନୁଷ୍ଠାନ ତଥା ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ଏ ବାବଦରେ ଅବଗତ ହୋଇପାରିଲେ ମୂଲ୍ୟବାନ ଜୀବନ ରକ୍ଷା କରାଯାଇପାରିବ ବୋଲି ଦର୍ଶାଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଜିଲ୍ଲାପାନଙ୍କୁ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହା ଦେଖାଯାଉଛି ଯେ ବଜ୍ରପାତ ପ୍ରାୟତଃ ଦିନ ୨ଟାରୁ ରାତି ୯ଟା ମଧ୍ୟରେ ସଂଗଠିତ ହେଉଛି । ମୁଖ୍ୟତଃ କୃଷକ, କୃଷିକାର୍ଯ୍ୟରେ ଜଡ଼ିତ ଶ୍ରମିକ, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଉଥିବା ଲୋକମାନେ ବିଶେଷ ଭାବେ ଏହି ଦୁର୍ଘଟଣାର ଶିକାର ହେଉଛନ୍ତି । ଏହି ଅବସରରେ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ କହିଥିଲେ ଯେ ଏହିଭଳି ଅବସ୍ଥା ଆଗାମୀ କିଛିଦିନ ପର୍ଯ୍ୟନ୍ତ ଲାଗି ରହିପାରେ । ଏହି ସମୟ ମଧ୍ୟରେ ବାହାରେ ରହୁଥିବା ଲୋକମାନେ ନିରାପଦ ସ୍ଥାନରେ ଆଶ୍ରୟ ନେବାକୁ ସେ ପରାମର୍ଶ ଦେଇଥିଲେ ।
ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏ ସଂପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ଖବରକାଗଜ ଓ ଟିଭି ମାଧ୍ୟମରେ ସତର୍କ ସୂଚନା ଜାରି କରାଯିବ ଓ ବଜ୍ରପାତ ସମୟରେ କିଭଳି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯିବ, ସେ ସଂପର୍କରେ ସମସ୍ତ ଜିଲ୍ଲାପାଳମାନଙ୍କ ମାଧ୍ୟମରେ ଏହାର ପ୍ରଚାରପ୍ରସାର କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଛି ।