ଶ୍ରାବଣ ସୋମବାର ପାଇଁ କମିସନରେଟ ପୋଲିସ ପକ୍ଷରୁ ଲିଙ୍ଗରାଜ ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା

ଆସନ୍ତା କାଲିଠାରୁ ଆରମ୍ଭ ହେଉଛି ଶ୍ରାବଣମାସ ସୋମବାର I ମହାଦେବ ଙ୍କ ଠାରେ ଜଳଲାଗି ପାଇଁ ବୋଲବମ ଭକ୍ତ ଙ୍କ ଭିଡ଼ ଲାଗିବ I ଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁ ବୋଲ ବମ ଯାତ୍ରା ବନ୍ଦ ଥିଲା । ହେଲେ ଚଳିତ ବର୍ଷ କଟକଣା କୋହଳ ହେବା ପରେ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରରେ କମିସନରେଟ ପୋଲିସ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ଡିସିପି କହିଛନ୍ତି, ଲିଙ୍ଗରାଜ ମନ୍ଦିରରେ ପାଣି ଢାଳିବା ପାଇଁ ୪ ସପ୍ତାହ ଯାଏଁ ଭିଡ଼ ରହିବ । ଏହିପାଇଁ ସହର ସାରା ରୁଟ ଲାଇନିଂ ବ୍ୟବସ୍ଥା ସହ ଟ୍ରାଫିକ ମ୍ୟାନେଜମେଣ୍ଟ କରାଯିବ । ମନ୍ଦିର ଭିତରେ ଓ ବାହାରେ ଓଡ୍ରାଫ ସହ ଫାୟାର ଓ ମୋବାଇଲ ମେଡିକାଲ ୟୁନିଟ ବ୍ୟବସ୍ଥା କରାଯାଇଛି । ସେହିଭଳି ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟାରିକେଟ ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜଣେ ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ ୫ ଏସିପି, ୮ ଆଇଆଇସି, ୩୩ ଏସଆଇଙ୍କ ସହ ୬ ପ୍ଲାଟୁନ ପୋଲିସ ଫୋର୍ସ, ୫୦ ହୋମଗାର୍ଡଙ୍କୁ ନିୟୋଜିତ କରାଯିବ । ମହିଳା ଭକ୍ତଙ୍କ ପାଇଁ ମହିଳା ପୋଲିସ ଫୋର୍ସ ଓ ମହିଳା ପୋଲିସ ଅଫିସର ମଧ୍ୟ ନିଯୁକ୍ତି କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି।