ଭୁବନେଶ୍ୱର: ନୂଆ କରି ଗଠିତ ‘ସାଉଥ୍ କୋଷ୍ଟ ରେଲୱେ’ କୁ ନେଇ ଓଡ଼ିଶାର ସ୍ୱାର୍ଥ ବାଧିତ ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି ରେଳ ବିଭାଗ। ଓଡ଼ିଶାର କୌଣସି ଅଞ୍ଚଳ ଆନ୍ଧ୍ରପ୍ରଦେଶ ଅଧୀନକୁ ଯାଉନାହିଁ ଏବଂ ଏ ସମ୍ପର୍କିତ ଅନେକ ତଥ୍ୟ ଭ୍ରମାତ୍ମକ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ବିଶାଖାପାଟଣା ଡିଭିଜନର ପଲାସାରୁ ଇଛାପୁରମ୍ ପର୍ଯ୍ୟନ୍ତ ୫୩ କିଲୋମିଟର ରୁଟ୍ରେ ଥିବା ୭ଟି ଯାକ ଷ୍ଟେସନ (ପଲାସା, ସୁମାଦେବୀ, ମଣ୍ଡାସା ରୋଡ୍, ବାରୁଭା, ସୋମପେଟା, ଝାଡୁପୁଡି ଓ ଇଛାପୁରମ୍) ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାରେ ଅବସ୍ଥିତ। ତେଣୁ ଏହାଦ୍ୱାରା ଓଡ଼ିଶାର କୌଣସି ଭୌଗୋଳିକ କ୍ଷତି ହେବାର ସମ୍ଭାବନା ନାହିଁ। ପୂର୍ବତଟ ରେଳପଥ ଅଧୀନରେ ଥିବା କୋରାପୁଟ-ସିଙ୍ଗାପୁର ରୋଡ୍, କୋଟାଭଲାସା-କିରାଣ୍ଡୁଲ, କୁନେରୁ-ଥେରୁବାଲି ଏବଂ ଗୁଣୁପୁର-ପାରଳାଖେମୁଣ୍ଡି ସେକ୍ସନର ୬୯୬ କିଲୋମିଟର ଅଞ୍ଚଳ ଏବେ ନୂଆ ରାୟଗଡ଼ା ଡିଭିଜନ ଅଧୀନରେ ରହିବ। ଓଡ଼ିଶାର କ୍ଷତି ହେଉଥିବା ନେଇ କିଛି ମାଧ୍ୟମରେ ପ୍ରଚାରିତ ଖବରକୁ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଦର୍ଶାଇଛି ରେଳ ବିଭାଗ।