ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଲେ ଅଭିନେତ୍ରୀ ନୁସ୍‌ରତ୍‌

କୋଲକାତା: ଦେଶରେ ରିୟଲ୍‌ ଇ‌ଷ୍ଟେଟ୍‌ ସେକ୍ଟର ଖୁବ୍ ଜୋର୍‌ରେ ବଢ଼ି ବଢ଼ି ଚାଲିଛି। ହେଲେ ଏଥିରେ ଟଙ୍କା ଲଗାଇ ଧୋକା ଖାଉଥିବା ଲୋକଙ୍କର ବି ସୀମା ନାହିଁ। ତେବେ ଏହି ଭଳି ଠକେଇରେ ବଙ୍ଗୀୟ ଫିଲ୍ମ ଅଭିନେତ୍ରୀ ତଥା ଟିଏମ୍‌ସି ସାଂସଦ ନୁସ୍‌ରତ୍‌ ଜହାଁ ମଧ୍ୟ ସାମିଲ ଥିବା ବୁଧବାର ଅଭିଯୋଗ ହୋଇଥିଲା।

ବିଜେପିର ଶଙ୍କୁଦେବ ପଣ୍ଡା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ଅଭିଯୋଗ କରିଥିଲେ ଯେ ନୁସ୍‌ରତ୍‌ ଜହାଁଙ୍କ ସହ ଜଡିତ  ୭ ସେନ୍ସ ଇଣ୍ଟର୍‌ନେସ୍‌ନାଲ୍‌ କମ୍ପାନି ଆପାର୍ଟମେଣ୍ଟ ବିକ୍ରି କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇ ୪୦୦ରୁ ଅଧିକ ଲୋକଙ୍କଠାରୁ ୫.୫ଲକ୍ଷ ଟଙ୍କା ଲେଖାଏଁ ଠକି ନେଇଛି। ଅଭିନେତ୍ରୀଙ୍କ ଉପରେ ବିଜେପି ନେତା ଏଭଳି ଆରୋପ ଲଗାଇବା ପରେ ଏବେ ଆରୋପକୁ ମିଛ ବୋଲି କହିଛନ୍ତି ନୁସ୍‌ରତ୍‌।

ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି, “କମ୍ପାନିର ନିର୍ଦ୍ଦେଶକ ପଦରେ ଥିବା ବେଳେ ମୁଁ କମ୍ପାନିଠାରୁ ଋଣ ନେଇଥିଲି। ଋଣର ପରିମାଣ ୧,୧୬,୩୦,୨୮୫ ଟଙ୍କା ଥିଲା ଏବଂ ମେ’ ୬, ୨୦୧୭ରେ ମୁଁ ସୁଧ ସହିତ ୧,୪୦,୭୧,୯୯୬ ଟଙ୍କା କମ୍ପାନିକୁ ଦେଇଥିଲି। ଏହା ପରେ ମୁଁ ନିର୍ଦ୍ଦେଶକ ପଦ ଛାଡ଼ିଥିଲି। ୨୦୧୭ପରଠାରୁ ମୋର କମ୍ପାନି ସହିତ କୌଣସି ସମ୍ପର୍କ ନାହିଁ। ମୋ ପାଖରେ ଟଙ୍କା ନେଣଦେଣର ସମସ୍ତ ବ୍ୟାଙ୍କ ବିବରଣୀ ଅଛି। ଅଭିଯୋଗ ହେଉଛି ଯେ ମୁଁ ଲୋକଙ୍କଠାରୁ ଟଙ୍କା ନେଇ ଆପାର୍ଟମେଣ୍ଟ କିଣିଛି। ହେଲେ ଏହା ମିଛ। କମ୍ପାନି ମୋତେ ଋଣ ଦେଲା ଏବଂ ମୁଁ ଋଣକୁ ସୁଧ ସହିତ କମ୍ପାନିକୁ ଫେରାଇ ଦେଇଥିଲି। ଯାଞ୍ଚ ହୋଇଥିବା ବ୍ୟାଙ୍କ ଷ୍ଟେଟମେଣ୍ଟରେ ଏହା ସ୍ପଷ୍ଟ ହୋଇଛି, ଯାହାକୁ ମୁଁ କୋର୍ଟକୁ ଦେଇସାରିଛି। କାହା ବିରୋଧରେ କିଛି ବି କହିବା ପୂର୍ବରୁ ଆପଣ କାହାଣୀର ଅନ୍ୟ ପାର୍ଶ୍ୱ ଶୁଣିବା ଉଚିତ୍। ଦୟାକରି ଏହାକୁ ନେଇ ରାଜନୀତି କରନ୍ତୁ ନାହିଁ।”