ବଦଳିଲା ସୌମ୍ୟଙ୍କ ସ୍ୱର; ଗ୍ୟାସ୍ ଦରବୃଦ୍ଧି ସାଧାରଣ ଲୋକଙ୍କୁ ବାଧୁଛି

ସାଲିସ ହୋଇଗଲେ ନା କରାଗଲା । ବିରୋଧରେ ତୁଣ୍ଡ ଖୋଲିବା ପରେ ଏବେ ବିରୋଧୀଙ୍କୁ କାଉଣ୍ଟର । ଦଳର ଶତମୁଖ ପ୍ରଶଂସାରେ ସୌମ୍ୟ । କଟକରେ ଥିବା ଦି ଲ କଲେଜର ରୌପ୍ୟ ଜୟନ୍ତୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ନିଶାନା କରିଥିଲେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ ସମ୍ଭବ ହେଉନି, ମନ୍ତ୍ରିମଣ୍ଡଳର ସଭ୍ୟ ବଡ଼, କି ସଚିବ ବଡ? ବିଧାୟକମାନେ ଦଳରେ ଥିବାରୁ ତୁଣ୍ଡ ଖୋଲିଲେ ଦଳରୁ ବହିଷ୍କାର ହେବାର ଡର ରହିଛି । ଏଭଳି ସ୍ଥିତିରେ ସମ୍ବିଧାନ କିପରି ସୁରକ୍ଷିତ ହେବ? ମୁଖ୍ୟମନ୍ତ୍ରୀଙ୍କୁ ଦଳର ବିଧାୟକମାନେ ଭେଟି ପାରୁନଥିବା କହିବା ସହିତ ସୁପର ଚିଫ୍ ମିନିଷ୍ଟର କଥା ମଧ୍ୟ ଉଠାଇଥିଲେ ।

ଯାହାକୁ ନେଇ ଦଳ ଭିତରେ ଭୂକମ୍ପ ସୃଷ୍ଟି ହୋଇଥିଲା । ତା ପରେ ଏମିତି ବୟାନବାଜି ଚଳିବ ନାହିଁ କହି ପରୋକ୍ଷରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୌମ୍ୟଙ୍କୁ ଲକ୍ଷ୍ଣଣରେଖା ଦେଖାଇ ଦେଇଥିଲେ । ଆଜି ସୌମ୍ୟଙ୍କର ସେହି ଶାଣିତ ସ୍ୱର ବଦଳିଯାଇଛି । ସୌମ୍ୟ କହିଛନ୍ତି, ବିଜୁ ଜନତା ଦଳ ଗରିବ ଓଡିଆଙ୍କ ଦଳ । ବିଜୁ ଜନତା ଦଳ ଯେଉଁ କଥା କୁହେ ତାଠୁ ଅଧିକା କରେ । ବିଜୁ ଜନତା ଦଳ ଘରେ ଘରେ ଅଛି । ସବୁ ଚୁଲି ମୁଣ୍ଡରେ ଅଛି । ସବୁ ମହିଳାମାନଙ୍କ ମଧ୍ୟରେ ଅଛି ବୋଲି ଆଜି କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ତେବେ ସୌମ୍ୟ ରାଜନୈତିକ ଜୀବନରେ ଜଣେ ସ୍ୱାଭୀମାନ ବ୍ୟକ୍ତି ଭାବରେ ପରିଗଣିତ ହେଉଥିଲେ ମଧ୍ୟ ସ୍ୱାର୍ଥ ନିକଟରେ ସେସବୁ କିଛି ଭୁଲି ଯାଆନ୍ତି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ କହିଥାଆନ୍ତି ।

ଗତ ୨ ବର୍ଷ ଧରି ସୌମ୍ୟରଞ୍ଜନ ମନ୍ତ୍ରୀ ପଦ ପାଇଁ ଲାଳାୟିିତ ଥିବା ବେଳେ ତାହା ଏପର୍ଯ୍ୟନ୍ତ ସାକାର ହୋଇନାହିଁ । ଏଣୁ ମନ ଭିତରେ ରହିଥିବା ତାଙ୍କର ପୁଞ୍ଜିଭୂତ ଅସନ୍ତୋଷ ସେ ବିଭିନ୍ନ ସମୟରେ ଦଳର ସୁପ୍ରିମୋଙ୍କୁ ଲକ୍ଷ୍ୟ କରି ଇଙ୍ଗିତ କରୁଛନ୍ତି ବୋଲି ଚର୍ଚ୍ଚା ହୁଏ । ତେବେ ଏଠି ପ୍ରଶ୍ନ, କେମିତି ଏତେ ବଦଳିଗଲା ସୌମ୍ୟଙ୍କ ସ୍ୱର? ତାଗିଦ ନା ସାଲିସ । ନିଜେ ପ୍ରେସମିଟରେ କହିଲେ ନା କୁହାଗଲା ସେପଟେ ସୌମ୍ୟଙ୍କର ଏଭଳି ଆଭିମୁଖ୍ୟ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେପି ।