ମୋଦୀଙ୍କୁ ଟାର୍ଗେଟ କରିବା ସୋରୋସଙ୍କୁ ପଡିଲା ଭାରି !

ମୋଦୀଙ୍କୁ ଟାର୍ଗେଟ କରିବା ସୋରୋସଙ୍କୁ ପଡିଲା ଭାରି ! ସୋରୋସଙ୍କ ଉପରେ ବର୍ଷିଲେ ସ୍ମୃତି ଇରାନୀ । ସୋରାସଙ୍କୁ ଶକ୍ତ ଝଟକା ଦେଲେ ସ୍ମୃତି ଇରାନୀ! ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବା ଆମେରିକୀୟ କୋଟିପତି ଜର୍ଜ ସୋରୋସଙ୍କୁ ମହଙ୍ଗା ପଡ଼ିଛି । ତାଙ୍କ ଉପରେ ଜୋରଦାର ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । କଂଗ୍ରେସ ମଧ୍ୟ ଜର୍ଜଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହିଁ ।ସ୍ମୃତି କହିଛନ୍ତି ଯେ, ବିଦେଶୀ ମାଟିରେ ରହି କିଛି ଖଳ ପ୍ରକୃତିର ଲୋକେ ଭାରତୀୟ ଗଣତାନ୍ତ୍ରିକ ଢାଞ୍ଚାକୁ ଭାଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି । ଜର୍ଜ ସୋରୋସ ଭାରତର ଲୋକତନ୍ତ୍ରରେ ପ୍ରବେଶ କରିବାକୁ ଅପଚେଷ୍ଟା ଚଳାଇଛନ୍ତି । ଏବେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଟାର୍ଗେଟରେ ଅଛନ୍ତି । ଦେଶର ସମସ୍ତ ନାଗରିକ ଏହି ବିଦେଶୀ ଖଳ ପ୍ରକୃତି ଲୋକଙ୍କ ହୀନ ଉଦ୍ଦେଶ୍ୟର ଜବାବ ଦେବା ଉଚିତ ବୋଲି ସେ କହିଛନ୍ତି ।

ତେବେ କିଛି ଦିନ ପୂର୍ବେ ଜର୍ଜ ସୋରୋସ ଅଦାନୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ, ମୋଦି ଏହି ପ୍ରସଙ୍ଗରେ କାହିଁକି ନୀରବ ଅଛନ୍ତି । ଏହି ପ୍ରସଙ୍ଗରେ ତାଙ୍କୁ ନିଜ ସଂସଦ ସମେତ ବିଦେଶୀ ନିବେଶକଙ୍କୁ ବି ଜବାବ ଦେବାକୁ ପଡ଼ିବ । ଭାରତର ସଂଘୀୟ ସରକାର ଉପରେ ଏହା ମୋଦିଙ୍କ ପ୍ରଭାବ କମାଇଦେବ । ଏହାଦ୍ୱାରା ଭାରତରେ ଏକ ଲୋକତାନ୍ତ୍ରିକ ପରିବର୍ତ୍ତନ ହେବ ବୋଲି ମୋର ବିଶ୍ୱାସ ରହିଛି । ଏପରି ମନ୍ଦ ଉଦ୍ଦେଶ୍ୟ ରଖିଥିବା ବ୍ୟକ୍ତିଙ୍କ ଆଗରେ ଆମ ପ୍ରଧାନମନ୍ତ୍ରୀ କେବେ ବି ମୁଣ୍ଡ ନୁଆଁଇବେ ନାହିଁ । ପୂର୍ବରୁ ବି ଆମେ ବିଦେଶୀ ଶକ୍ତିକୁ ଧୂଳି ଚଟାଇଥିବା ବେଳେ ଭବିଷ୍ୟତରେ ବି ହରାଇବାରେ ସକ୍ଷମ ହେବୁ ।

ଅନ୍ୟପଟେ, କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ଏହି ଘଟଣାରେ ଜର୍ଜ ସୋରେସଙ୍କୁ ଟାର୍ଗେଟ କରିଛନ୍ତି, ଅଦାନୀ ଘୋଟାଲା ପ୍ରସଙ୍ଗ ପରେ ଭାରତର ଲୋକତନ୍ତ୍ରର ପୁନରୁଦ୍ଧାର ହେଉଛି ନା ନାହିଁ ଏହା ଆମ ଦେଶ ଭିତର କଥା । ଏହା ସହ ଜର୍ଜଙ୍କ ସହ କୌଣସି ସମ୍ପର୍କ ନାହିଁ । ସେ ଏହି ପ୍ରସଙ୍ଗରେ ଅଯଥା ମୁଣ୍ଡ ନ ପୂରାଇବା ଭଲ ବୋଲି ରମେଶ କହିଛନ୍ତି ।