ଭୁବନେଶ୍ୱର: ବିଜେପିରେ ନେତା ପୁଅ ନେତା ହୁଏନି ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା କହିଛନ୍ତି । ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା ନଡ୍ଡା ବିଜେପିର ସଦସତ୍ୟତା ଅଭିଯାନରେ ଯୋଗଦେବା ଅବସରରେ ଏହା କହିଛନ୍ତି । ନୂଆ ସଦସ୍ୟଙ୍କୁ ମାର୍ଗଦର୍ଶନ କରାଇ ସେ କହିଛନ୍ତି ଯେ ଭାରତରେ ୫ ହଜାର ପାର୍ଟି ଥିବାବେଳେ ୫୦ରୁ ଅଧିକ ଆକ୍ଟିଭ ପାର୍ଟି ରହିଛନ୍ତି । ତେବେ ବିଜେପି ଏକମାତ୍ର ଗଣତାନ୍ତ୍ରିକ, କ୍ୟାଡର ଯୁକ୍ତ ରଜନୈତିକ ଦଳ । ଆପଣମାନେ କଂଗ୍ରେସରେ ଏଭଳି ସଦସ୍ୟତା ଅଭିଯାନ ଦେଖିଛନ୍ତି କି ବୋଲି ନଡ୍ଡା ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ ଏକମାତ୍ର ବିଜେପିରେ ହିଁ ଅତ୍ୟନ୍ତ ସ୍ୱଚ୍ଛଭାବେ ସଦସ୍ୟତା ଗ୍ରହଣ ହୁଏ । ସଦସ୍ୟତା ଗ୍ରହଣ ଶେଷ ହେବା ପରେ କାର୍ଯ୍ୟକର୍ତ୍ତା ନିର୍ବାଚନ ହେବ । ଆମର ଏଠି ନେତା ପୁଅ ନେତା ହୁଏନି, ମାଟିରୁ ଆସିଥିବା ବ୍ୟକ୍ତି ନେତା ହୁଏ । ଆମ ବାମପନ୍ଥୀ ଭାଇମାନେ କାହା ସହ ଦୋସ୍ତୀ କଲେ କ’ଣ ହେଲା । ସେମାନେ ପଶ୍ଚିମବଙ୍ଗରେ ଲଢ଼ୁଛନ୍ତି, ଦିଲ୍ଲୀରେ ସାଥୀ ହେଉଛନ୍ତି । କାଶ୍ମୀରରୁ ଧାରା ୩୭୦ ହଟାଇ ସମ୍ବିଧାନକୁ ସାର୍ବଭୌମ କରାଯାଇଛି । ଧାରା ୩୭୦ ହଟିବା ପରେ ପ୍ରଥମ ଥର ପାଇଁ ସେଠାରେ ନିର୍ବାଚନ ହେଉଛି । ବିଜେପି ଲାଷ୍ଟ ମ୍ୟାନ ଆଟ ଲାଷ୍ଟ ମାଇଲ କଥାରେ ବିଶ୍ୱାସ କରେ । ବାଂଲାଦେଶ, ପାକିସ୍ତାନ, ଇରାନରେ ଟ୍ରିପିଲ ତଲାକ ନାହିଁ । କିନ୍ତୁ ଭାରତରେ ଧର୍ମନିରପେକ୍ଷ ନାମରେ ଟ୍ରିପିଲ ତଲାକ ଚାଲିଥିଲା । ମୋଦୀ ଆସିଲେ । ମୁସଲମାନ ଭଉଣୀଙ୍କୁ ଏ ସମସ୍ୟାରୁ ମୁକ୍ତି ଦେଲେ । ଆମର କ୍ୟାଡର ପାର୍ଟି । ୬ ବର୍ଷରେ ସମସ୍ତଙ୍କ ସଦସ୍ୟତା ଶେଷ ହୋଇଯାଏ । ୨ ସେପ୍ଟେମ୍ବରରୁ ଏଯାବତ ୬ କୋଟି ସଦସ୍ୟ ଗ୍ରହଣ ହେଲେଣି ବୋଲି ନଡ୍ଡା କହିଛନ୍ତି ।