ଦଳର ନେତାଙ୍କୁ ଶୃଙ୍ଖଳା ଜ୍ଞାନ ଦେଲେ ସୋନିଆ

କଂଗ୍ରେସ ଦଳ ର ଦଳୀୟ କନ୍ଦଳ କାହାକୁ ଅଛପା ନାହିଁ I ରାଜ୍ୟ ଠାରୁ ରାଜଧାନୀ ପର୍ଯ୍ୟନ୍ତ ସବୁ ଜାଗାରେ କଂଗ୍ରେସ ର କନ୍ଦଳ ଶୁଣାଯାଉଛି I ଏପରିକି ଦଳର ପାର୍ଟି ମିଟିଂ ଗୁଡିକରେ ସଭ୍ୟ ମାନେ ହାତାହାତି ହେବାକୁ ପଛାଉ ନାହାନ୍ତି ,ଫଳରେ ଦିନକୁ ଦିନ ତୀବ୍ର ହେଉଛି ଦଳୀୟ କନ୍ଦଳ। କଂଗ୍ରେସରେ କନ୍ଦଳ ଲାଗି ରହିଥିବାରୁ ଅନେକ ବରିଷ୍ଠ ନେତା ଦଳ ମଧ୍ୟ ଛାଡ଼ୁଛନ୍ତି । ଏହା ଉପରେ ଚିନ୍ତା ପ୍ରକଟ କରିଛନ୍ତି ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି।
ସେ କଂଗ୍ରେସର ରାଜ୍ୟ ମୁଖ୍ୟମାନଙ୍କୁ ଶୃଙ୍ଖଳା ଓ ଏକତା ଜ୍ଞାନ ଦେଇଛନ୍ତି। ସେହିପରି ବ୍ୟକ୍ତିଗତ ସ୍ୱାର୍ଥ ବଦଳରେ ଦଳର ଓ ଲୋକଙ୍କ ବିକାଶକୁ ଅଧିକ ଗୁରୁତ୍ୱ ଦେବାକୁ କହିଛନ୍ତି। ଏଥିସହ ଆରଏସ୍‌ଏସ୍‌ ଓ ବିଜେପିର ବିଚାରଧାରା ବିରୋଧରେ ଲଢ଼େଇ କରିବାକୁ ମଧ୍ୟ ସେ ଦଳୀୟ ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି।
ମଙ୍ଗଳବାର ସୋନିଆ ଦଳର ମହାସଚିବ, ବିଭିନ୍ନ ରାଜ୍ୟର ପ୍ରଭାରୀ ଓ ରାଜ୍ୟ କଂଗ୍ରେସ ମୁଖ୍ୟଙ୍କ ସହ ବୈଠକ କରିଛନ୍ତି। ବୈଠକ ଆରମ୍ଭରୁ ସୋନିଆ ସମସ୍ତଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ଦେଶର ଯୁବକ ଓ ଯୁବତୀମାନେ ସେମାନଙ୍କର ଇଚ୍ଛା ଓ ଦାବି ପୂରଣ ପାଇଁ ଆନ୍ଦୋଳନ ଚାହୁଁଛନ୍ତି। ସେମାନଙ୍କୁ ଗୋଟିଏ ମଞ୍ଚ ଯୋଗାଇ ଦେବା ଦାୟିତ୍ୱ ଆମର।ସୋନିଆ ଆହୁରି କହିଛନ୍ତି ଯେ ବିଜେପି-ଆରଏସଏସର ବିଚାରଧାରା ବିରୋଧରେ ଆମକୁ ଜୋରଦାର ଲଢ଼େଇ ଲଢ଼ିବାକୁ ହେବ। ଆମକୁ ସମ୍ପୂର୍ଣ୍ଣ ନିଷ୍ଠା ଓ ପ୍ରତିବଦ୍ଧତାର ସହ ଏହା କରିବାକୁ ପଡ଼ିବ। ଯଦି ଆମକୁ ଏହି ଯୁଦ୍ଧରେ ଜିତିବାର ଅଛି, ତା’ହେଲେ ଆମକୁ ସେମାନଙ୍କ ମିଛକୁ ଲୋକଙ୍କ ସାମ୍ନାକୁ ଆଣିବାକୁ ପଡ଼ିବ। ଆମେ ଏକାଠି ରହିଲେ ସବୁ କିଛି ସମ୍ଭବ ହୋଇପାରିବ।
ପ୍ରତିଦିନ ଏଆଇସିସି ଦେଶର ହିତ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତୃତ ବିବରଣୀ ପ୍ରଦାନ କରୁଛି। କିନ୍ତୁ ଏହା ବ୍ଲକ ଓ ଜିଲ୍ଲାସ୍ତରରେ ଥିବା ତୃଣମୂଳ ସ୍ତରର କର୍ମୀଙ୍କ ପାଖରେ ପହଞ୍ଚି ପାରୁନଥିବା ଭଳି ମନେ ହେଉଛି। କିଛି ଦିନ ପୂର୍ବରୁ ଆୟୋଜିତ ହୋଇଥିବା ସିଡବ୍ଲ୍ୟୁଡିସି ବୈଠକର ନିଷ୍ପତ୍ତି ସମ୍ପର୍କରେ ସମସ୍ତେ ଅବଗତ ରହିଛନ୍ତି।
ଏଥିରେ ପାରିତ ହୋଇଥିବା ସଂକଳ୍ପଗୁଡ଼ିକୁ ସବୁ ରାଜ୍ୟ ୟୁନିଟ ମୁଖ୍ୟମାନଙ୍କ ପାଖକୁ ମଧ୍ୟ ପଠାଯାଇଛି। ସାଂଗଠନିକ ନିର୍ବାଚନର ସମ୍ପୂର୍ଣ୍ଣ ବିବରଣୀ ଏଥିରେ ରହିଛି। ଏହି ସଂକଳ୍ପକୁ ଦୃଷ୍ଟିରେ ରଖି ଆମକୁ କାମ କରିବାକୁ ପଡ଼ିବ। କୌଣସି ରାଜନୀତିକ ଆନ୍ଦୋଳନ ପାଇଁ ଯୁବଗୋଷ୍ଠୀଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମଧ୍ୟ ସୋନିଆ କହିଛନ୍ତି। ଏହି ବୈଠକରେ ରାହୁଲ ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ଉପସ୍ଥିତ ରହିଥିଲେ। ତେବେ ସୋନିଆ ଙ୍କ ଏହି ଗୁରୁମନ୍ତ୍ର କୁ କର୍ମୀ ମାନେ କେତେଦୂର ଗ୍ରହଣ କରି ଦଳକୁ ଏକଜୁଟ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା I

Comments (0)
Add Comment