ରାଜନୀତିରୁ ଅବସର ନେବେ ସୋନିଆ ଗାନ୍ଧୀ!

ଭାରତ ଯୋଡ଼ୋ ଯାତ୍ରା ସହିତ ତାଙ୍କର ଇନିଙ୍ଗସ୍‌ର ପରିସମାପ୍ତି ଘଟିପାରେ ବୋଲି ଆଜି ଆଭାସ ଦେଇଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ । ଛତିଶଗଡ଼ର ରାୟପୁରରେ ଚାଲିଥିବା କଂଗ୍ରେସର ୩ ଦିନିଆ ମାନସମନ୍ଥନ କନ୍‌କ୍ଲେଭ୍‌ରେ ଉପସ୍ଥିତ ୧୫ ହଜାର ପ୍ରତିନିଧିଙ୍କୁ ଉଦବୋଧନ ଦେଇ ସୋନିଆ କହିଛନ୍ତି, ଡକ୍ଟର ମନମୋହନ ସିଂହଙ୍କ ଦକ୍ଷ ନେତୃତ୍ୱ ସହିତ ୨୦୦୪ ଓ ୨୦୦୯ରେ ଆମର ବିଜୟ ମୋତେ ବ୍ୟକ୍ତିଗତ ସନ୍ତୋଷ ଦେଇଥିଲା । କିନ୍ତୁ ଭାରତ ଯୋଡ଼ୋ ଯାତ୍ରା ସହ ମୋର ଇନିଙ୍ଗ୍‌ସ୍ ଶେଷ ହେଉଥିବା କଥା ମତେ ଖୁବ୍ ଆନନ୍ଦ ଦେଉଛି । ଏହି ଯାତ୍ରା ନିଷ୍ପତ୍ତି ଗ୍ରହଣ କରିବାର ଅବସର ଆଣିଦେଇଛି । ଭାରତବାସୀ ସହାବସ୍ଥାନ, ସହନଶୀଳତା ଏବଂ ସମାନତା ଚାହାଁନ୍ତି ବୋଲି ଏହି ଯାତ୍ରା ପ୍ରମାଣିତ କରିଛି ।

ସେ ଆହୁରି ମଧ୍ୟ କହିଛନ୍ତି, ସାମଗ୍ରିକ ଭାବେ ଦଳ ଓ ଦେଶ ଗୋଟାଏ ଆହ୍ୱାନପୂର୍ଣ୍ଣ ସମୟ ଦେଇ ଗତି କରୁଛନ୍ତି । ଏଭଳି ଏକ ସମୟ ଯେତେବେଳେ ବିଜେପି-ଆରଏସଏସ୍ ଭାରତର ପ୍ରତିଟି ପ୍ରତିଷ୍ଠାନକୁ ଅକ୍ତିଆର କରି ବସିଛି । ଅଳ୍ପ କେତେଜଣ ବ୍ୟବସାୟୀଙ୍କୁ ସମର୍ଥନ ଦେଇ ସେମାନେ ଦେଶର ଅର୍ଥନୀତିକୁ ଧ୍ୱଂସ କରିଛନ୍ତି ।

ତେବେ ଗତକାଲିଠାରୁ ରାୟପୁରରେ କଂଗ୍ରେସର ୮୫ତମ ଅଧିବେଶନ ଆରମ୍ଭ ହୋଇଛି । ଏଥିରେ ୨୦୨୪ ସାଧାରଣ ନିର୍ବାଚନ ଏବଂ ଅନ୍ୟ ବିରୋଧୀ ଦଳମାନଙ୍କ ସହିତ ମେଣ୍ଟ ସଂକ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଆକଳନ କରାଯାଉଛି ।