ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସୋନମ ୱାଙ୍ଗଚୁକଙ୍କ ପତ୍ନୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଦୀର୍ଘ ୨୧ ଦିନ ଧରି ଅନଶନରେ ବସିଥିବା ବିଶିଷ୍ଟ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ୱାଙ୍ଗଚୁକଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ତାଙ୍କ ପତ୍ନୀ ଗୀତାଞ୍ଜଳି ଜେ. ଆଙ୍ଗମୋ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସଫଦରଜଙ୍ଗ ହସ୍ପିଟାଲରେ ୱାଙ୍ଗଚୁକଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉ ନାହିଁ ଏବଂ ତାଙ୍କୁ ସେଠାରେ ବେଆଇନ ଭାବେ ଅଟକ ରଖାଯାଇଛି ବୋଲି ଗୀତାଞ୍ଜଳି ଆବେଦନରେ ଅଭିଯୋଗ କରିଛନ୍ତି। ଏପରିକି ମେଡିକାଲ ରିପୋର୍ଟରେ ହେରଫେର କରାଯାଉଥିବା ନେଇ ମଧ୍ୟ ସେ ଆଶଙ୍କା ପ୍ରକଟ କରିଛନ୍ତି। ଗୀତାଞ୍ଜଳିଙ୍କ କହିବା ଅନୁଯାୟୀ, ୱାଙ୍ଗଚୁକ ରହୁଥିବା ୱାର୍ଡ ବାହାରେ ୩୦ରୁ ଅଧିକ ଏବଂ ସମଗ୍ର ହସ୍ପିଟାଲ ପରିସରରେ ୧୦୦ରୁ ଅଧିକ ପୋଲିସ କର୍ମଚାରୀ ମୁତୟନ ଅଛନ୍ତି। ପରିବାର ସଦସ୍ୟଙ୍କୁ ମଧ୍ୟ ତାଙ୍କୁ ସାକ୍ଷାତ କରିବାକୁ ଦିଆଯାଉ ନାହିଁ। ଯଦି ସୋନମ ୱାଙ୍ଗଚୁକଙ୍କର କୌଣସି ଅଘଟଣ ଘଟେ, ତେବେ ଏଥିପାଇଁ କେନ୍ଦ୍ର ସରକାର ଏବଂ ସଫଦରଜଙ୍ଗ ହସ୍ପିଟାଲ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ଗୀତାଞ୍ଜଳି ସୋସିଆଲ ମିଡିଆରେ ଚେତାବନୀ ଦେଇଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷ ଘରୋଇ ମେଡିକାଲକୁ ସ୍ଥାନାନ୍ତର ପାଇଁ ଅନୁମତି ନ ଦେବାରୁ ପରିବାର ପକ୍ଷରୁ କୋର୍ଟଙ୍କ ଆଶ୍ରୟ ନିଆଯାଇଛି।