ୟୁଥ୍ ଏକ୍ସଚେଞ୍ଜ ପ୍ରୋଗ୍ରାମ ମାଧ୍ୟମରେ କିର୍ଗିଜ୍ ରିପବ୍ଲିକ୍ ବୁଲିଲେ ସୋଆ ଏନ୍‌ସିସି କ୍ୟାଡେଟ

ଭୁବନେଶ୍ୱର , ଅକ୍ଟୋବର ୫ : ୟୁଥ୍ ଏକ୍ସଚେଞ୍ଜ ପ୍ରୋଗ୍ରାମ (ୱାଇପି) ମାଧ୍ୟମରେ ଏନ୍‌ସିସି ପ୍ରତିନିଧି ଦଳରେ ସାମିଲ ହୋଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଛାତ୍ର ଅଭିନାଶ ନନ୍ଦ କିର୍ଗିଜ୍ ରିପବ୍ଲିକ୍ ବୁଲିବା ସହ ଅନେକ ଅନୁଭୂତି ସାଉଁଟି ଭାରତ ଫେରିଛନ୍ତି ।
ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର କମ୍ପ୍ୟୁଟର ସାଇନ୍‌ସ ବିଭାଗର ଛାତ୍ର ଅଭିନାଶ ଭାରତ କିର୍ଗିଜ୍ ସମ୍ପର୍କ ଓ ଶୈକ୍ଷିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଏକ ସପ୍ତାହବ୍ୟାପୀ ସେଠାରେ ବୁଲିବା ପରେ ସେପ୍ଟେମ୍ବର ୩୦ ତାରିଖରେ ଭାରତ ଫେରିଛନ୍ତି ।
ଭାରତୀୟ ଏନ୍‌ସିସି ପ୍ରତିନିଧି ଦଳର ୫ ଜଣିଆ ସଦସ୍ୟଙ୍କ ସହ ଅଭିନାଶ ସାମିଲ ହୋଇଥିବା ବେଳେ ସେପ୍ଟେମ୍ବର ୨୪ ତାରିଖରେ ବିସ୍କେକ୍ ପହଂଚିଥିଲେ ।
ସେଠାରୁ ଫେରିବା ପରେ ଅଭିନାଶ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଭେଟି ନିଜ ଅନୁଭୂତି ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ । ଏହି ପ୍ରତିନିଧି ଦଳ ସଂପୃକ୍ତ ଦେଶର ପ୍ରତିନିଧିଙ୍କ ସହ ଶିକ୍ଷା, ପ୍ରତିରକ୍ଷା ଓ ପର୍ଯ୍ୟଟନ ସମ୍ପର୍କରେ ଆଲୋଚନା କରିଥିଲେ ।
ସେମାନେ ବିସ୍କେକ୍‌ରେ ଅବସ୍ଥିତ ମିଲିଟାରୀ ଇନ୍‌ଷ୍ଟିଚ୍ୟୁଟ୍‌ର ପାସିଂ ଆଉଟ୍ ପରେଡ୍‌ରେ ଭାଗ ନେବା ସହ ଭାରତୀୟ ଦୂତାବାସ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିଲେ ।