ଏଯାଏଁ ଲକ୍ଷ୍ମୀ ମାର୍କେଟ୍ କମ୍ଲେକ୍ସରେ ଲାଗିଥିବା ଅଗ୍ନିକାଣ୍ଡର ନିଆଁକୁ ଆୟତ୍ତ କରିହେଉନି

ଗତକାଲି ରାତିରେ ମରିଚିକୋଟ୍ ଛକରେ ଥିବା ଲକ୍ଷ୍ମୀ ମାର୍କେଟ୍ କମ୍ଲେକ୍ସରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି । ଏପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରାଯାଇପାରିନାହିଁ । ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରିବାକୁ ଜୋରଦାର ଉଦ୍ୟମ କରାଯାଉଛି । ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସପି କନୱର ବିଶାଲ ସିଂ । କହିଛନ୍ତି ଏନେଇ ଅଗ୍ନିଶମ ଡିଜିଙ୍କ ସହ କଥା ହୋଇଛନ୍ତି । ନିଆଁକୁ ଆୟତ୍ତ କରିବାକୁ ଆହୁରି ୨ରୁ ୩ ଘଣ୍ଟା ସମୟ ଲାଗିବ । ସୁରକ୍ଷା ପାଇଁ ଘଟଣା ସ୍ଥଳରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି ।

ମିଳିଥିବା ଖବର ଅନୁସାରେ, ନିଆଁ ଲାଗିଥିବା ମାର୍କେଟ କମ୍ପ୍ଲେକ୍ସରେ ପ୍ରବଳ ଧୂଆଁ ବାହାରୁଥିବାରୁ କେତେକ ଅଗ୍ନିଶମ କର୍ମଚାରୀ ଅଣନିଶ୍ବାସୀ ହୋଇପଡିବା ସହ ନିଆଁ ଲାଭାଇବାରେ ବିଳମ୍ବ ହୋଇଥିଲା। ଏଥିସହିତ ମାର୍କେଟ କମ୍ପ୍ଲେକ୍ସ ପରିସରରେ ଥିବା ସମ୍ରାଟ ଗେଷ୍ଟ ହାଉସରେ ଫସି ରହିଥିବା ୩ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ବିଭାଗର ୬ଟି ଗାଡି ଦୀର୍ଘ ସମୟ ଧରି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଭୁବନେଶ୍ବର, ଖୋର୍ଦ୍ଧା ଓ ସାକ୍ଷୀଗୋପାଳରୁ ଅଗ୍ନିଶମ ଦଳ ଆସି ନିଆଁଲିଭାଇବାରେ ଲାଗିପଡିଥିଲେ। ମାର୍କେଟ ପରିସରରେ ନିଆଁ ଲାଗିବା କାରଣରୁ ଅନେକଗୁଡ଼ିଏ ଦୋକାନର କ୍ଷତି ହୋଇଛି।

ସୂଚନା ଅନୁସାରେ, ପୁରୀ ବଡଦାଣ୍ଡ ପାର୍ଶ୍ବରେ ରହିଛି ଲକ୍ଷ୍ମୀ ବଜାର। ଏହି ବଜାରରେ ରହିଛି ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ। କୌଣସି କାରଣରୁ ଏହି ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗି ଯାଇଥିଲା। ତଳ ମହଲାରେ ଥିବା ଏକ ଡ୍ରେସ ଦୋକାନରୁ ନିଆଁ ଲାଗିଥିବା ଅଗ୍ନିଶମ କର୍ମଚାରୀମାନେ ଆଶଙ୍କା କରୁଛନ୍ତି। ଚାହୁଁ ଚାହୁଁ ମାର୍କେଟ କମ୍ପ୍ଲେକ୍ସରେ ଥିବା ସମ୍ରାଟ ହୋଟେଲକୁ ନିଆଁ ବ୍ୟାପିଯାଇଥିଲା। ସମ୍ରାଟ ଗେଷ୍ଟ ହାଉସରେ ବିଭିନ୍ନ ସ୍ଥାନରୁ ଯାତ୍ରୀମାନେ ଆସି ରହିଥିଲେ। କିଏ ବ୍ରତ ଘର ଓ ବିଭାଘର ପାଇଁ ଆସି ସେଠାରେ ସେମାନଙ୍କ ସାମଗ୍ରୀ ରଖି ରହିଥିଲେ। ସେହିପରି ନାସିକରୁ ୧୨୦ ପର୍ଯ୍ୟଟକ ଥିବା ସୂଚନା ମିଳିଥିଲା। ସମସ୍ତଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆଉ ୩ଜଣ ଫସି ରହିଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇଛି। ତେବେ ସେମାନଙ୍କ ମଧ୍ୟରୁ ୨ଜଣ ଅଚେତ ଥିବାବେଳେ ସେମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।