ସ୍ମୃତି ମନ୍ଧାନାଙ୍କ ଚମତ୍କାର ବ୍ୟାଟିଂ: ଭାରତ ହେଲା ଚାମ୍ପିୟନ

କଲମ୍ବୋ: ସ୍ମୃତି ମନ୍ଧାନାଙ୍କ ଶତକ ଓ ସ୍ନେହ ରାଣାଙ୍କ ୪ ଉଇକେଟ ସଫଳତା ବଳରେ ଭାରତୀୟ ମହିଳା ଦଳ ୯୭ ରନରେ ଶ୍ରୀଲଙ୍କାକୁ ପରାସ୍ତ କରି ତ୍ରିରାଷ୍ଟ୍ରୀୟ ସିରିଜ୍‌ରେ ଚାମ୍ପିୟନ ହୋଇଛି। ଭାରତ ଦ୍ୱାରା ପ୍ରଦତ୍ତ ୩୪୩ ରନର ବିଶାଳ ଟାର୍ଗେଟ ଆଗରେ ଶ୍ରୀଲଙ୍କା ୪୮.୨ ଓଭରରେ ୨୪୫ ରନରେ ଅଲଆଉଟ୍‌ ହୋଇଯାଇଥିଲା। ମନ୍ଧାନାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ୍‌ ଓ ସିରିଜ୍‌ରେ ମୋଟ ୧୫ ଉଇକେଟ ନେଇଥିବା ସ୍ନେହଙ୍କୁ ପ୍ଲେୟାର ଅଫ ଦି ସିରିଜ୍‌ ବିବେଚିତ କରାଯାଇଛି। ଏହି ମ୍ୟାଚ୍‌ ଜରିଆରେ ଭାରତୀୟ ପେସର କ୍ରାନ୍ତି ଗୌଡ଼ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଛନ୍ତି। ଟଚ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ପ୍ରତିକା ରାଓ୍ବଲ ଓ ମନ୍ଧାନା ଦୃଢ଼ ମୂଳଦୁଆ ପ୍ରଦାନ କରିଥିଲେ। ଦୁହେଁ ପ୍ରଥମ ଉଇକେଟରେ ୭୦ ରନ କରିଥିଲେ। ପ୍ରତିକା ୩୦ (୨ ଚୌକା) ରନ କରି ଆଉଟ୍‌ ହେବା ପରେ ହର୍ଲିନ ଦେଓଲଙ୍କ ସହ ମିଶି ମନ୍ଧାନା ଦଳୀୟ ସ୍କୋରରେ ୧୨୦ ରନ ଯୋଡ଼ିଥିଲେ। ଇତିମଧ୍ୟରେ ମନ୍ଧାନା ଶତକ ପୂରଣ କରିଥିଲେ। ସେ ୧୦୧ ବଲରେ ୧୧୬ (୧୫ ଚୌକା ଓ ୨ ଛକା) ରନ କରିଥିଲେ। ଏହା ତାଙ୍କ ଦିନିକିଆ କ୍ୟାରିୟରର ଏକାଦଶତମ ଶତକ ଥିଲା ।