ନୂତନ ଓଡ଼ିଶା ଗଠନ ନିମନ୍ତେ କୁଶଳୀ ଓଡ଼ିଆଙ୍କ ଆବଶ୍ୟକତା ରହିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଦକ୍ଷତା ବିକାଶ କେବଳ ନୈତିକ ଦାୟିତ୍ୱ ନୁହେଁ; ଅର୍ଥନୈତିକ ଅଭିବୃଦ୍ଧିର ମୌଳିକ ଆବଶ୍ୟକତା। ଦକ୍ଷ ଯୁବ ଗୋଷ୍ଠୀ ରୂପାନ୍ତରଣର ବାର୍ତ୍ତାବହ। ଆମ ଦେଶ ସମ୍ପ୍ରତି ଏକ ମହତ୍ତ୍ୱପୂର୍ଣ୍ଣ ସମୟ ଦେଇ ଗତି କରୁଛି। ବୈଷୟିକ ଜ୍ଞାନକୌଶଳର ପ୍ରଗତି ଓ ଦ୍ରୁତ ପରିବର୍ତ୍ତନଶୀଳ ବଜାର ଚାହିଦା ଦୃଷ୍ଟିରୁ ଆମର ଯୁବପିଢ଼ିଙ୍କ ଦକ୍ଷତାବୃଦ୍ଧି ଅନିବାର୍ଯ୍ୟ ହୋଇ ପଡ଼ିଛି। ନୂତନ ଓଡ଼ିଶା ଗଠନ ନିମନ୍ତେ କୁଶଳୀ ଓଡ଼ିଆଙ୍କ ଆବଶ୍ୟକତା ରହିଛି। ଏହି ଦୃଷ୍ଟିରୁ ରାଜ୍ୟ ସରକାର ସର୍ବଦା ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରି ଆସିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଗୁରୁବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦକ୍ଷତା ପ୍ରଦର୍ଶନର ମହାକୁମ୍ଭ ‘ଓଡ଼ିଶା ସ୍କିଲ୍‌‌ କନ୍‌‌କ୍ଲେଭ୍‌‌-୨୦୨୩’କୁ ଉଦ୍‌‌ଘାଟନ କରି ଦେଶରେ ନୂତନ ଯୁଗର ବୈଷୟିକ ଦକ୍ଷତା ନେଇ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ସହଯୋଗିତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଆ ଯୁବକ ଯୁବତୀ ବିଶ୍ୱସ୍ତରୀୟ ଦକ୍ଷତା ଅର୍ଜନ କରିବେ, ସାରା ବିଶ୍ୱରେ କୁଶଳୀ ଓଡ଼ିଆ ପ୍ରାଧାନ୍ୟ ବିସ୍ତାର କରିବେ। ସାମ୍ପ୍ରତିକ ବିଶ୍ୱର ଚାହିଦା ଅନୁସାରେ ଶିକ୍ଷା ଓ ଦକ୍ଷତାର ବିକାଶ ହେବ। ବିଶ୍ୱ ସମୁଦାୟରେ ଓଡ଼ିଶା ଦକ୍ଷତା କେନ୍ଦ୍ର ଭାବେ ପରିଗଣିତ ହେବା ସହ ଯୁବବର୍ଗଙ୍କୁ ରୋଜଗାରକ୍ଷମ କରିବା ସରକାରଙ୍କ ପ୍ରମୁଖ ଉଦ୍ଦେଶ୍ୟ। ଆତ୍ମନିର୍ଭର ଓ ଦକ୍ଷ ଓଡ଼ିଶା ପାଇଁ ବଜେଟ୍‌‌ରେ ୧୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ୧ଲକ୍ଷ ଯୁବକଯୁବତୀଙ୍କୁ ଯୁଗ ଉପଯୋଗୀ ଅତ୍ୟାଧୁନିକ ଜ୍ଞାନ କୌଶଳର ଶିକ୍ଷା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।

ଦକ୍ଷ ମାନବ ସମ୍ବଳ ପ୍ରସ୍ତୁତି ସାଙ୍ଗକୁ ଯୁଗ ଉପଯୋଗୀ ଶିକ୍ଷା ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ତଥା ଏକବିଂଶ ଶତାବ୍ଦୀ ଆବଶ୍ୟକ କରୁଥିବା ଜ୍ଞାନ କୌଶଳରେ ଓଡ଼ିଆଙ୍କୁ ଦକ୍ଷ କରିବା ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। କେନ୍ଦ୍ର ସରକାର, ରାଜ୍ୟର ସରକାରୀ ବିଭାଗ, ଶିଳ୍ପ ସଂସ୍ଥା, ବିଭିନ୍ନ ଏକାଡେମୀ ତଥା ନାଗିରିକ ସମାଜର ସାମୂହିକ ପ୍ରୟାସ ଦ୍ୱାରା ଦକ୍ଷ ମାନବ ସମ୍ବଳର ବଜାର ସୃଷ୍ଟି ହୋଇ ପାରିବ। ଏ କ୍ଷେତ୍ରରେ ରାଜ୍ୟ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ମିଶନ ଶକ୍ତି ଯୋଜନା ଅଧୀନରେ ୭୦ ଲକ୍ଷ ମହିଳାଙ୍କୁ ବିଭିନ୍ନ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମଏସଏମଇ) ମାଧ୍ୟମରେ ଦକ୍ଷ କରିବା ଏହାର ପ୍ରମୁଖ ଉଦାହରଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଜାତୀୟ ଓ ଅନ୍ତର୍ଜାତୀୟ ନିଯୁକ୍ତି ଦାତାମାନେ ଓଡ଼ିଶାର ଯୁବବର୍ଗଙ୍କ ଦକ୍ଷତାକୁ ଚିହ୍ନିବା ସହ ରାଜ୍ୟ ଦକ୍ଷ ମାନବ ସମ୍ବଳର କେନ୍ଦ୍ର ଭାବେ ପରିଚିତି ହାସଲ କରିଛି।