ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ସିସୋଦିଆ

ସିସୋଦିଆଙ୍କ ପାଇଁ ବଢିଲା ଅଡୁଆ । ଥମୁନି ଅବକାରୀ ଦୁର୍ନିତୀ ମାମଲା । ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ମନୀଷ ସିସୋଦିଆ । ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ କରିଥିବା ତଦନ୍ତକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି ସିସୋଦିଆ । ଏନେଇ ସିସୋଦିଆଙ୍କ ଅପିଲ ଉପରେ ଯଥାଶୀଘ୍ର ଶୁଣାଣି କରିବାକୁ ଦାବୀ କରାଯାଇଥିବା ଜଣାପଡିଛି ।

ଅନ୍ୟପଟେ ସିବିଆଇ ମଧ୍ୟ ଆଜି ରିମାଣ୍ଡର ପ୍ରଥମ ଦିନରେ ସିସୋଦିଆଙ୍କ ପଚରାଉଚୁରା ଆରମ୍ଭ କରିଛି । ସିବିଆଇ ଏଥିପାଇଁ ପ୍ରଶ୍ନର ଲମ୍ବା ତାଲିକା ପ୍ରସ୍ତୁତ କରିଛି । କୁହାଯାଉଛି ଯେ, ସିବିଆଇ ନୂଆ କରି ପୁଣିଥରେ ସିସୋଦିଆଙ୍କୁ ପଚରାଉଚୁରା କରିବ । ପୂର୍ବରୁ ଜେରା ସମୟରେ ଯେଉଁ ପ୍ରଶ୍ନର ଉତ୍ତର ସିସୋଦିଆ ଦେଇନଥିଲେ ସେସବୁ ପ୍ରଶ୍ନ ପ୍ରଶ୍ନ ପୁଣିଥରେ କରାଯିବ ବୋଲି ସୂଚନା ରହିଛି ।

ଅବକାରୀ ନୀତି ମାମଲାରେ ଅଧିକ ଜେରା ପାଇଁ ରବିବାର ସିବିଆଇରେ ହାଜର ହୋଇଥିଲେ ମନୀଷ ସିସୋଦିଆ। ଦୀର୍ଘ ୮ ଘଣ୍ଟାର ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିଲା। ଅବକାରୀ ନୀତି ମାମଲାରେ ଫେବୃଆରୀ ୧୯ ତାରିଖରେ ହାଜର ହେବାକୁ ସିସୋଦିଆଙ୍କୁ ନୋଟିସ୍ କରିଥିଲା ସିବିଆଇ। କିନ୍ତୁ ସିସୋଦିଆ ହାଜର ହେବାକୁ ଏକ ସପ୍ତାହ ଅଧିକ ସମୟ ମାଗିଥିଲେ। ସିବିଆଇ ମଧ୍ୟ ତାଙ୍କୁ ଏଥିପାଇଁ ଅନୁମତି ଦେଇଥିଲା।