ସୈତ୍ୟେନ୍ଦ୍ରଙ୍କ ପରେ ସିସୋଦିଆ; ସେବେ ଇଡି, ଏବେ ସିବିଆଇ

ସୈତ୍ୟେନ୍ଦ୍ର ପରେ ଏବେ ସିସୋଦିଆ । ଜଣଙ୍କ ପରେ ଜଣେ ନେତା ଗିରଫ । ଆପ୍‌କୁ ଦିଲ୍ଲୀରୁ ହଟାଇବାକୁ ବିଜେପି କରୁଛି କି ଯୋଜନା? ଅଣ ବିଜେପି ଶାସିତ ରାଜ୍ୟରେ ଦବଦବା ବଢାଉଛି କି ଭାଜପା?
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗତକାଲି ଗିରଫ ହୋଇଛନ୍ତି ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଦୀର୍ଘ ୮ ଘଣ୍ଟାର ପଚରାଉଚରା ପରେ ତାଙ୍କୁ ଗିରଫ କରିଛି ସିବିଆଇ । ପୂର୍ବରୁ ମଧ୍ୟ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସୈତ୍ୟେନ୍ଦ୍ର ଜୈନ ଗିରଫ ହୋଇ ଜେଲରେ ଅଛନ୍ତି । ଫରକ ଏତିକି ଯେ, ସିସୋଦିଆଙ୍କୁ ସିବିଆଇ ଗିରଫ କରିଥିବା ବେଳେ ସୈତ୍ୟେନ୍ଦ୍ରଙ୍କୁ ଗିରଫ କରିଛି ଇଡି । ଏବଂ ଏହି ଦୁଇଟି ସଂସ୍ଥା କେନ୍ଦ୍ର ସରକାରଙ୍କ ଅଧୀନରେ ରହିଛନ୍ତି । ଯାହାଙ୍କୁ ସଦାବେଳେ କେନ୍ଦ୍ର ସରକାର ବ୍ୟବହାର କରୁଥିବା ପୂବ ର୍ରୁ ମଧ୍ୟ ଅଭିଯୋଗ ହୋଇ ଆସିଛି ।

ଏମିତିକି ଗତକାଲି ସରିଥିବା ଛତିଶଗଡ ରାୟପୁରରେ କଂଗ୍ରେସର ୮୫ତମ ଅଧିବେଶନ ପୂର୍ବରୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ସମର୍ଥକ ଓ କିଛି କଂଗ୍ରେସ ନେତାଙ୍କ ଘରେ ଚଢାଉ କରିଥିଲା ଇଡି । ଅଣ ବିଜେପି ଶାସିତ ରାଜ୍ୟରେ କେନ୍ଦ୍ରୀୟ ସଂସ୍ଥାଙ୍କ ଚଢାଉ ଗିରଫଦାରୀ ନୂଆ କଥା ନୁହେଁ । ଦେଶରେ ଅନେକ ଗୁଡିଏ ନଜିର ମଧ୍ୟ ରହିଛି । ତେବେ ଆପ ଏବେ ନିଜ ବଳ ଗୋଟାଉଥିବା ଦେଖିବାକୁ ମିଳିଛି । କିଛି ଦିନ ପୂର୍ବରୁ ଉଦ୍ଧବ ଠାକରେଙ୍କୁ ମଧ୍ୟ ଭେଟିଥିଲେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ତା ସହ ଅଖିଳେଶ ଯାଦବ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓଙ୍କ ପୁଅ କେଟିଆର ମଧ୍ୟ ଆପ ସହ ଅଛନ୍ତି । ଯାହା ବିଜେପିର ଆଖିକୁ ଖଟ୍‌କୁ ଥାଇ ପାରେ ବୋଲି ଆଲୋଚନା ଚାଲିଛି ।

ଏମିତିକି ଅଗଷ୍ଟ ୨୦୨୨ରେ ନ୍ୟୁୟର୍କ ଟାଇମ୍ସର ଫ୍ରଣ୍ଟ ପେଜରେ ଦିଲ୍ଲୀ ଶିକ୍ଷା ନୀତିକୁ ନେଇ ମନିଷ ସିସୋଦିଆଙ୍କୁ ପ୍ରଶଂସା କରାଯାଇଥିଲା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲା ବିଜେପି । ତେବେ ଗିରଫଦାରୀ ପଛରେ କେତେ ସତ କେତେ ମିଛ ରହିଛି, ତାହା ତଦନ୍ତ ପରେ ଜଣାପଡିବ । କିନ୍ତୁ ନିଜର ସ୍ୱାର୍ଥ୍ୟ ପାଇଁ ତଦନ୍ତ ସଂସ୍ଥାକୁ ବ୍ୟବହାର କରିବା ବୋଧହୁଏ ସମ୍ବିଧାନରେ ଯୁକ୍ତିଯୁକ୍ତି ନୁହେଁ ।