ଭୁବନେଶ୍ବର: ଓଡ଼ିଶାରେ ଚାଲିଥିବା ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ (SIR) କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ନୂତନ ସୂଚୀ ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ୨୧ ତାରିଖରେ ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଲନଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଏହି ସଂଶୋଧନ ପ୍ରକ୍ରିୟା ପାଇଁ ୨୦୨୬ ଜୁଲାଇ ୧କୁ ଯୋଗ୍ୟତା ତାରିଖ (Cut-off Date) ଭାବେ ବଳବତ୍ତର ରଖାଯାଇଛି। ନୂତନ ସୂଚୀ ଅନୁସାରେ SIR ସଂଶୋଧନ ପ୍ରକ୍ରିୟାରେ ଦାବି ଓ ଆପତ୍ତି ଦାଖଲ ଅବଧିକୁ ଦୁଇ ସପ୍ତାହ ଅର୍ଥାତ୍ ଅଗଷ୍ଟ ୧୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ଜୁଲାଇ ୫ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବାର ନିର୍ଦ୍ଧାରିତ ଥିଲା। ସେହିପରି ନୋଟିସ ଜାରି, ଆବେଦନଗୁଡ଼ିକର ଯାଞ୍ଚ, ଶୁଣାଣି, ଦାବି ଓ ଆପତ୍ତିର ନିଷ୍ପତ୍ତି ପ୍ରକ୍ରିୟାକୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି, ଯାହା ପୂର୍ବରୁ ସେପ୍ଟେମ୍ବର ୨ ସୁଦ୍ଧା ଶେଷ ହେବାର ଥିଲା।