କାଦମ୍ବିନୀର ରୌପ୍ୟ ଜୟନ୍ତୀ,ଓଡ଼ିଆ ଭାଷାର ଏକ ସମୃଦ୍ଧ ଇତିହାସ ରହିଛି: ରାଜ୍ୟପାଳ

ଭୁବନେଶ୍ୱର,୨ ।୭: ଭାରତୀୟ ଶାସ୍ତ୍ରୀୟ ଭାଷା ମଧ୍ୟରେ ଓଡ଼ିଆ ଭାଷାର ଏକ ସମୃଦ୍ଧ ଇତିହାସ ରହିଛି ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍ତି । ଆଜି ସର୍ବଜନାଦୃତ ମାସିକ ଓଡ଼ିଆ ପତ୍ରିକା କାଦମ୍ବିନୀର ରୌପ୍ୟ ଜୟନ୍ତୀ ସମାରୋହର ଉଦ୍‍ଘାଟକ ତଥା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଦାସ ଏହା କହିଛନ୍ତି । ସେ କହିଲେ, ଓଡ଼ିଆ ଭାଷା ହେଉଛି ସାଂସ୍କୃତିକ ଅଭିବ୍ୟକ୍ତି ଓ ଭାବନାର ଅପୂର୍ବ ଭଣ୍ଡାର । କାଦମ୍ବିନୀ ବରିଷ୍ଠ ଲେଖକଙ୍କୁ ସମ୍ମାନ ଦେବା ଓ ନବୀନଙ୍କୁ ପ୍ରୋତ୍ସାହନ ଦେବା ଏକ ପ୍ରଶଂସନୀୟ କାର୍ଯ୍ୟ ବୋଲି ସେ କହିଥିଲେ । ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରସାର ଓ ପ୍ରଚାର କ୍ଷେତ୍ରରେ କାଦମ୍ବିନୀର ଉଲ୍ଲେଖନୀୟ ଅବଦାନ ରହିଛି । ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ମନଲାଖି ଲେଖାସବୁ କାଦମ୍ବିନୀରେ ପ୍ରକାଶିତ ହେଉଥିବାରୁ ଏହା ଜନାଦୃତ ହୋଇପାରିଛି ବୋଲି ସେ କହିଥିଲେ ।

ସ୍ୱାଗତ ଭାଷଣ ଦେଇ କାଦମ୍ବିନୀ ଓ କୁନିକଥାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, କାଦମ୍ବିନୀ ପତ୍ରିକାରେ ୨୫ ବର୍ଷ ମଧ୍ୟରେ ଏମିତି କିଛି ଲେଖା ବାହାରିନାହିଁ ଯାହାକୁ ଲୋକେ ସମାଲୋଚନା କରିଛନ୍ତି । କାଦମ୍ବିନୀ ଆରମ୍ଭ ହେବାଠାରୁ ଏହି ପତ୍ରିକାରେ ଗୋଟିଏ ହେଲେ ନକରାତ୍ମକ ଶବ୍ଦ ବ୍ୟବହାର ନ କରିବାକୁ ମୁଁ ଏହାର ସମ୍ପାଦିକା ଡ. ଇତି ସାମନ୍ତଙ୍କୁ ପରାମର୍ଶ ଦେଇଥିଲି । ସେ ମଧ୍ୟ ଏହାକୁ ଆଜି ପର୍ଯ୍ୟନ୍ତ ଅକ୍ଷରେ ଅକ୍ଷରେ ପାଳନ କରିଆସିଛନ୍ତି । ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ଓଡ଼ିଶା ତଥା ଓଡ଼ିଶା ବାହାରେ ପ୍ରଚାର ଓ ପ୍ରସାର କରିବାରେ କାଦମ୍ବିନୀର ଉଦ୍ୟମ ପ୍ରଶଂସନୀୟ । ଏହି ଅବସରରେ ଶ୍ରୀ ସାମନ୍ତ ସୂଚନା ଦେଇ କହିଲେ ବର୍ଷ ସାରା କାଦମ୍ବିନୀ ପକ୍ଷରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ରୌପ୍ୟ ଜୟନ୍ତୀ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାର ୨୫ଜଣ ଯୁବ ସାହିତ୍ୟିକଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଗବେଷଣା ନିମନ୍ତେ ସେମାନଙ୍କୁ ଫେଲୋସିପ ପ୍ରଦାନ କରାଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଥିଲେ ।
ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟି ନାଟ୍ୟକାର ଅନନ୍ତ ମହାପାତ୍ର କହିଲେ, ଆମେ ନିଷ୍ଠାର ସହ ସଫଳ ଭାବେ କୌଣସି କାମ କଲେ କୃତୀ ମିଳିପାରିବ । ଆତ୍ମ ବିଶ୍ୱାସ ଥିଲେ କୌଣସି କାମ କଠିନ ହେବନାହିଁ । ଏହାର ଉଦାହରଣ ହେଉଛି କାଦମ୍ବିନୀ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ବିଶିଷ୍ଟ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ କହିଲେ, କାଦମ୍ବିନୀର ୨୫ବର୍ଷ ସଫଳତାର ଜୟଯାତ୍ରାର ମୂଲ୍ୟାୟନ କରିହେବ ନାହିଁ । କାଦମ୍ବିନୀ ବରିଷ୍ଠଙ୍କୁ ପ୍ରଣାମ ଓ କନିଷ୍ଠଙ୍କୁ ପ୍ରୋତ୍ସାହନ ଦେଇ ନୂଆ ଇତିହାସ ଓ ପରିଚୟ ସୃଷ୍ଟି କରିପାରିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ସମ୍ପାଦିକା ଡ. ଇତି ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଭାରତୀୟ ଡାକ ବିଭାଗ ପକ୍ଷରୁ ଜାରି କରାଯାଇଥିବା କାଦମ୍ବିନୀ ରୌପ୍ୟ ଜୟନ୍ତୀ ସ୍ମାରକୀ ଡାକ ଟିକଟ, କାଦମ୍ବିନୀ ରୌପ୍ୟ ଜୟନ୍ତୀ ସଂଖ୍ୟା ଓ କୁନିକଥା ଜୁଲାଇ ସଂଖ୍ୟାର ଉନ୍ମୋଚନ କରାଯାଇଥିଲା । ରୌପ୍ୟ ଜୟନ୍ତୀ ପାଳନ ଉପଲକ୍ଷେ ଦିନ ତମାମ ବିଭିନ୍ନ ବିଷୟ ବସ୍ତୁ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଅଧିବେଶନରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ପ୍ରଧାନ, ବିଶିଷ୍ଟ ସାହିତ୍ୟିକା ଅର୍ଚ୍ଚନା ନାୟକ, ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ, ବିଶିଷ୍ଟ ଗବେଷକ ପରମେଶ୍ୱର ମୁଣ୍ଡ, ବିଶିଷ୍ଟ ସଙ୍ଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଲିତ, ବିଶିଷ୍ଟ ନୃତ୍ୟଗୁରୁ, ସ୍ନେହପ୍ରଭା ସାମନ୍ତରାୟ, ବିଶିଷ୍ଟ ଅଭିନେତ୍ରୀ ଓ ନିର୍ଦ୍ଦେଶିକା ଆଇମି ବରୁଆ, ବଲିଉଡ଼ ଅଭିନେତ୍ରୀ ମୀରା ଚୋପ୍ରା, ବଲିଉଡ଼ ଅଭିନେତା ଅଭୟ ବର୍ମା, କ୍ରୀଡ଼ାବିତ୍‍ ଅନୁରାଧା ବିଶ୍ୱାଳ, କରାଟିକା ଭାଲିନା ଭାଲେଣ୍ଟିନା, ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର, ବିଶିଷ୍ଟ ସେଫ ସୁଶ୍ରୀ ସ୍ମୃତିଶ୍ରୀ ସିଂହ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ସେହିପରି କିସ୍‍ ଛାତ୍ରଛାତ୍ରୀ, ଆନନ୍ଦପୁର ବୀଣାପାଣି କଳା ନିକେତନ, ଗୁରୁ ରଞ୍ଜନ କୁମାର ସାହୁ ଏବଂ ସାଥୀ, ଗୁରୁ ଧନେଶ୍ୱର ସ୍ୱାଇଁ ଓ ସାଥୀ ଏବଂ ଅକ୍ଷୟ ମହାନ୍ତି ମାସ ଅପ୍‍ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉଦ୍‍ଘାଟନୀ ଉତ୍ସବ ପ୍ରାରମ୍ଭରେ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଏବଂ ସ୍ୱୟଂ ପାଢ଼ିଙ୍କ ଦ୍ୱାରା କାଦମ୍ବିନୀ ଥିମ୍‍ ସଙ୍ଗ୍‍ ଗାନ କରାଯାଇଥିଲା ।