ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ, ପଡିଲା ଶହ ଶହ ବଳି

ବଲାଙ୍ଗୀର: ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ । ଆଜି ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ କୁଳିତାପଡା ପଞ୍ଚାୟତର ପାଳିତ ହେଉଛି ଶୁଲିଆ ମହୋତ୍ସବ । ପଶୁପକ୍ଷୀଙ୍କ ବଳିରେ ରକ୍ତାକ୍ତ ହେବ ଗାଁ ରାସ୍ତା । ଏଥିପାଇଁ ଖଇରଗୁରା ଗାଁର ବଡ଼ଖଳା ଓ କୁମୁରିଆ ଗାଁର ସାନଖଳାରେ ହୋଇଛି ପ୍ରସ୍ତୁତି । ବଳି ଦେଇ ମାନସିକ ପୂରଣ କରିବେ ଶ୍ରଦ୍ଧାଳୁ ।

ଆଦିବାସୀ ରୀତି ନୀତି ପରମ୍ପରା ଅନୁସାରେ ନିଶି ପୂଜା ପରେ ସକାଳେ ପାଟ ବୋଦା ଧରି ଏକ ବିରାଟ ଶୋଭାଯାତ୍ରାରେ ଶୁଲିଆ ପୀଠକୁ ଆସିଥିଲେ ଆଦିବାସୀ । ଏହାପରେ ଶୁଲିଆ ବୁଢ଼ା ପାଖରେ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା କରିବା ପରେ ଦେହୁରୀ ଦେହରେ କାଳିସୀ ସବାର ହୋଇଥିଲା। ତାପରେ ଆରମ୍ଭ ହୋଇଥିଲା ବଳି। ପ୍ରଥମେ ଧଳା କୁକୁଡ଼ା, ଓ ଧଳା ବୋଦା ବଳି ଦିଆଯାଇଥିଲା। ପରେ ଶ୍ରଦ୍ଧାଳୁ ଆଣିଥିବା ବୋଦା, କୁକୁଡ଼ାକୁ ଗୋଟିଏ ପରେ ଗୋଟିଏ ବଳି ଚଢା ଯାଇଥିଲା। ପୀଠରେ ହଜାର ହଜାର ସଂଖ୍ୟାରେ ପଶୁବଳି ପଡ଼ିବା ସହ ପୋଢ଼ ବଳି ମଧ୍ୟ ଦିଆଯାଇଥିଲା। ଆଦିବାସୀଙ୍କ ଏହି ପରମ୍ପରା ବହୁ ଦିନରୁ ଚଳି ଆସୁଥିବା ମୁଖ୍ୟ ପୂଜକ କହନ୍ତି।

ଅନ୍ୟପଟେ ଶୁଲିଆ ବୁଢ଼ାଙ୍କ ଅପାର କରୁଣାରେ ମାନସିକ ପୂରଣ ହେଉଥିବା ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି। ପ୍ରତିବର୍ଷ ପୌଷ ମାସର ପ୍ରଥମ ମଙ୍ଗଳବାର ଦିନ ପ୍ରସିଦ୍ଧ ଶୁଲିଆ ଯାତ୍ରା ପାଳିତ ହୋଇଥାଏ । କେଉଁ ଆବାହନ କାଳରୁ ପ୍ରଚଳିତ ଏହି ପରମ୍ପରା ତଥା ଆଦିବାସୀଙ୍କ ମହାନ୍ ପର୍ବ ହୋଇଥିଲେ ମଧ୍ୟ ଯାତ୍ରାରେ ସବୁ ସମାଜର ଲୋକଙ୍କ ଗହଳି ଲାଗେ । ଏଥିପାଇଁ ଜିଲ୍ଲା ତଥା ବାହାର ଜିଲ୍ଲା ଓ ରାଜ୍ୟ ବାହାରୁ ମଧ୍ୟ ଶ୍ରଦ୍ଧାଳୁ ଏଠାକୁ ଧାଇଁ ଆସିଥାନ୍ତି।

ଶୁଲିଆ ଯାତ୍ରା ସମୟରେ ଦେହୂରୀ, ପୂଜକ ତଥା ବଳି ଦେଉଥିବା ବ୍ୟକ୍ତି କପଡା ବଦଳରେ ବକଳ ଧାରଣ କରିଥାନ୍ତି । ପରମ୍ପରାର ବିଧିରକ୍ଷା ପାଇଁ ସହଯୋଗ କରିବାକୁ ପ୍ରଶାସନକୁ ଅନୁରୋଧ କରିଛି ଆଦିବାସୀ ସଂଘ । ଅନ୍ୟପଟେ ଲୋକଙ୍କୁ ସଚେତନ କରୁଛି ପ୍ରଶାସନ । ଯାତ୍ରାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶୁଲିଆ ପୀଠ ବଡଖଳା ଓ ସାନଖଳାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।