ବଣ୍ଡା ଜନଜାତିର ମହିଳା ଶୁକ୍ରୀ ଧାଙ୍ଗଡା ମାଝି ପାଇଲେ ପ୍ରଥମ ସ୍ମାର୍ଟ ହେଲ୍‌ଥ କାର୍ଡ

“ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ, ମୁଁ ଚାହେଁ ସମସ୍ତେ ସୁସ୍ଥ ରୁହନ୍ତୁ” ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପ୍ରଥମ ସ୍ମାର୍ଟ ହେଲ୍‌ଥ ବଣ୍ଟନ ଉତ୍ସବ ରେ ଏହି କଥା କହିଛନ୍ତି ମୁଖ୍ୟମନ୍ତ୍ରୀ I ଆଜି ମାଲକାନଗିରି ଜିଲ୍ଲାର ବଣ୍ଡା ଜନଜାତି ମହିଳା ଶୁକ୍ରୀ ଧାଙ୍ଗଡା ମାଝି ପ୍ରଥମେ ପାଇଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ସ୍ମାର୍ଟ କାର୍ଡ ପ୍ରଦାନ କରିଛନ୍ତି।
ଆଜି ମାଲକାନଗିରିରେ ଆୟୋଜିତ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ସିଏ ଚାଷୀ ହେଉ ବା ମୂଲିଆ, ଛୋଟ ଦୋକାନୀ ହେଉ ବା ରିକ୍ସା ବାଲା, ଟ୍ରଲି ଚାଳକ ହେଉ ଅବା ଦୂର ଦୂରାନ୍ତରେ ରହୁଥିବା ଜନଜାତି ଭାଇ ଭଉଣୀ ବା ସାଧାରଣ ଲୋକ। ସମସ୍ତେ ସୁସ୍ଥ ରହି ନିଜ ପରିବାରର ଉନ୍ନତି ପାଇଁ କାମ କରନ୍ତୁ। ପ୍ରତି ପରିବାରର ଉନ୍ନତିରେ ରାଜ୍ୟର ଉନ୍ନତି।”
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ପାଇଁ ଚିକିତ୍ସା ଖର୍ଚ୍ଚ ୧୦ ଲକ୍ଷ ଟଙ୍କାକୁ କିପରି ବୃଦ୍ଧି ହେଲା ସେ ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି-“୨୦୧୮ ମସିହାରେ ମାଲକାନଗିରି ପାଇଁ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଚାଲିଥିଲା। ମୁଁ ସେତେବେଳେ ଲୋକସେବା ଭବନରୁ କାର୍ଯ୍ୟକ୍ରମରେ ଯୋଗଦେଇଥିଲି। ସେହି ସଭାରେ ମାଲକାନଗିରିର ଝିଅ ମମତା ପଡ଼ିଆମୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମା’ମାନଙ୍କ ପାଇଁ ଚିକିତ୍ସା ଖର୍ଚ୍ଚ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଝିଅର ସାହସ ଓ ବୁଦ୍ଧିକୁ ସମସ୍ତେ ପ୍ରଶଂସା କରିଥିଲେ। ତାଙ୍କ ପ୍ରସ୍ତାବ ମୋତେ ବହୁ ଭଲ ଲାଗିଥିଲା। ମୁଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କ ଚିକିତ୍ସା ସୁବିଧା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛି।”

Comments (0)
Add Comment