ଶ୍ରୀୟା ଟକିଜ୍ ସାମ୍ନାରେ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ବିରିଆନୀ ବିଲ୍‌କୁ କେନ୍ଦ୍ର କରି ଶ୍ରୀୟା-ସ୍ତୁତି ଫିଲ୍ମ ହଲ୍ ସମ୍ମୁଖରେ ଦେଖିବାକୁ ମିଳିଛି ଆତଙ୍କରାଜ । ଖଣ୍ଡା ଧରି ୪ ଜଣ ଦୁର୍ବୃତ୍ତ ସ୍ଥାନୀୟ ଦୋକାନୀଙ୍କ ଉପରେ ଅତର୍କିତ ଆକ୍ରମଣ କରିବା ସହ ଫାଷ୍ଟଫୁଡ୍ ଷ୍ଟଲ ଗୁଡ଼ିକୁ ହାଣି ଭଙ୍ଗାରୁଜା କରିଛନ୍ତି। ଏହି ମରଣାନ୍ତକ ଆକ୍ରମଣରେ ଜଣେ ବିରିଆନୀ ଦୋକାନୀ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ,ମଙ୍ଗଳ ବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଦୁର୍ବୃତ୍ତଙ୍କ ୭୦ ଟଙ୍କା ପାଇଁ ଏକ ବିରିଆନୀ ଦୋକାନୀଙ୍କ ସହ ଝଗଡ଼ା ହୋଇଥିଲା। ସେତେବେଳେ ସେମାନେ ସେଠାରୁ ଚାଲିଯାଇଥିଲେ ମଧ୍ୟ ପ୍ରତିଶୋଧ ନେବା ପାଇଁ ରାତି ପ୍ରାୟ ସାଢ଼େ ୯ଟାରେ ପୂର୍ଵ ପ୍ରସ୍ତୁତି ସହ ଫେରିଥିଲେ l ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏକ ଆଭେଞ୍ଜର ବାଇକ୍ ଏବଂ ସ୍କୁଟିରେ ୪ ଜଣ ଦୁର୍ବୃତ୍ତ ଆସି ଘଟଣାସ୍ଥଳଠାରୁ କିଛି ଦୂରରେ ଗାଡ଼ି ରଖିଥିଲେ। ଏହାପରେ ଖଣ୍ଡା ଧରି ସେମାନେ ଶ୍ରୀୟା ହଲ୍ ସାମ୍ନା ବଜାରରେ ଆତଙ୍କ ଖେଳାଇଥିଲେ। ସେମାନେ ସେହି ବିରିଆନୀ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ପକେଇଥିଲେ l ତାପରେ ସେଠାରେ ଥିବା ଗୁପଚୁପ, ମୋମୋ ଏବଂ ଅନ୍ୟାନ୍ୟ ଫାଷ୍ଟଫୁଡ୍ ଦୋକାନଗୁଡ଼ିକୁ ମଧ୍ୟ ସେମାନେ ଖଣ୍ଡାରେ ହାଣି ଚୁରମାର କରିଦେଇଥିଲେ। ଆତଙ୍କରାଜ ସୃଷ୍ଟି କରିବା ପରେ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ l ଆକ୍ରମଣକାରୀମାନେ ନିକଟସ୍ଥ ମାଳିସାହି ବସ୍ତିର ବୋଲି ସନ୍ଦେହ କରାଯାଉଛି। ଘଟଣାପରେ ପିସିଆର ଭ୍ୟାନ୍ ଏବଂ ଖାରବେଳ ନଗର ଥାନା ପୋଲିସ ଫୋର୍ସ ସେଠାରେ ପହଞ୍ଚିଥିଲେ l ଫେରାର ଥିବା ଦୁର୍ବୃତ୍ତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ପୋଲିସ ସୂଚନା ଦେଇଛି।