ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ଥୀରେ ଭଗବାନ ଶ୍ରୀ ସତ୍ୟ ସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ଉଦବୋଧନ ଦେଇଥିଲେ। ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ “ସାଇ ରାମ” ସହିତ ଆରମ୍ଭ କରିଥିଲେ ଏବଂ ପ୍ରକାଶ କରିଥିଲେ ଯେ ପୁଟ୍ଟପର୍ଥୀର ପବିତ୍ର ଭୂମିରେ ସମସ୍ତଙ୍କ ମଧ୍ୟରେ ଉପସ୍ଥିତ ରହିବା ତାଙ୍କ ପାଇଁ ଏକ ଭାବପ୍ରବଣତାପୂର୍ଣ୍ଣ ଏବଂ ଆଧ୍ୟାତ୍ମିକ ଅନୁଭୂତି। ସେ କହିଥିଲେ ଯେ, କିଛି ସମୟ ପୂର୍ବରୁ ତାଙ୍କୁ ବାବାଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିବାର ସୁଯୋଗ ମିଳିଥିଲା। ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ, ବାବାଙ୍କ ପାଦ ତଳେ ପ୍ରଣାମ କରିବା ଏବଂ ତାଙ୍କ ଆଶୀର୍ବାଦ ଗ୍ରହଣ କରିବା ସର୍ବଦା ହୃଦୟକୁ ଗଭୀର ଭାବପ୍ରବଣତାରେ ପରିପୂର୍ଣ୍ଣ କରିଥାଏ। ଶ୍ରୀ ସତ୍ୟ ସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ବର୍ଷ କେବଳ ଏହି ପିଢ଼ି ପାଇଁ ଏକ ଉତ୍ସବ ନୁହେଁ, ବରଂ ଏକ ଦିବ୍ୟ ଆଶୀର୍ବାଦ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ, ଯଦିଓ ବାବା ଆଉ ଶାରୀରିକ ରୂପରେ ଉପସ୍ଥିତ ନାହାଁନ୍ତି, ତାଙ୍କର ଶିକ୍ଷା, ତାଙ୍କର ପ୍ରେମ ଏବଂ ତାଙ୍କର ସେବା ମନୋଭାବ ବିଶ୍ୱର କୋଟି କୋଟି ଲୋକଙ୍କୁ ମାର୍ଗଦର୍ଶନ କରିଆସୁଛି। ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ, ୧୪୦ରୁ ଅଧିକ ଦେଶରେ, ଅଗଣିତ ଜୀବନ ନୂତନ ଆଲୋକ, ଦିଗଦର୍ଶନ ଏବଂ ସଂକଳ୍ପ ସହିତ ଆଗକୁ ବଢ଼ୁଛି।