ରାଜମହଲର ‘ଶ୍ରୀଲେଦର୍ସ ସୋ’ ରୁମ୍‌ରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ରାଜମହଲ ଛକ ନିକଟରେ ଥିବା ଜୋତା ସୋରୁମ ‘ଶ୍ରୀଲେଦର୍ସ’ରେ ଆଜି ସକାଳୁ ସକାଳୁ ନିଆଁ ଲାଗିଯାଇଛି। ଭୋର ପ୍ରାୟ ୫ଟା ସମୟରେ ଏହି ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଶ୍ରୀଲେଦର୍ସ ମାଲିକଙ୍କୁ ଖବର ଦେବା ସହିତ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଭୁବନେଶ୍ୱର ଫାୟାର ଷ୍ଟେସନର ଏକ ସ୍ୱତନ୍ତ୍ର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ନିଆଁର ପ୍ରକୋପ ଅଧିକ ଥିବାରୁ ପରେ ସେକ୍ରେଟାରିଏଟ୍ ଫାୟାର ଷ୍ଟେସନ୍ ଏବଂ ସିଆର୍‌ଏସ୍‌ଏଫ୍‌ଏଫ୍‌ର ଅତିରିକ୍ତ ଟିମ୍‌କୁ ମଧ୍ୟ ଡକାଯାଇଥିଲା | ସେମାନେ ମିଶି ନିଆଁକୁ ଆୟତ୍ତ କରିଥିଲେ | ଅଗ୍ନିକାଣ୍ଡ ଯୋଗୁଁ ସୋ’ରୁମ ଭିତରେ ଥିବା ଜୋତା, ଚପଲ ଏବଂ ଅନ୍ୟାନ୍ୟ ଚମଡ଼ା ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଥିବା ଆଶଙ୍କା କରାଯାଉଛି। ତେବେ ସର୍ଟ ସର୍କିଟ୍ ଯୋଗୁଁ ଏହି ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି। ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।