ଶିବ ନାଦର ଦେଶର ସବୁଠୁ ବଦାନ୍ୟ ବ୍ୟକ୍ତି

ମୁମ୍ବାଇ: ଏଚ୍‌ସିଏଲ (ହିନ୍ଦସ୍ତାନ କମ୍ପ୍ୟୁଟର୍ସ ଲିମିଟେଡ୍‌) କମ୍ପାନୀର ପ୍ରତିଷ୍ଠାତା ଶିବ ନାଦର ଦେଶର ସବୁଠାରୁ ବଦାନ୍ୟ ବ୍ୟକ୍ତିଭାବେ ମାନ୍ୟତାଲାଭ କରିଛନ୍ତି । ‘ଏଡେଲ୍‌ଗିଭ୍ ହୁରୁନ୍ ଇଣ୍ଡିଆ ଫିଲାନ୍‌ଥ୍ରୋପି’ ସଂଗଠନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି ରିପୋର୍ଟ ଅନୁଯାୟୀ ବିଭିନ୍ନ ସଂଗଠନ କିମ୍ବା ବ୍ୟକ୍ତିବିଶେଷଙ୍କୁ ନାଦର ବର୍ଷକୁ ପ୍ରାୟ ୧୧୬୧ କୋଟି ଟଙ୍କା ଦାନ କରିଛନ୍ତି । ଅର୍ଥାତ ଦିନକୁ ତାଙ୍କର ହାରାହାରି ଦାନ ପରିମାଣ ୩ କୋଟି ଟଙ୍କା । ଏହି ପ୍ରସଙ୍ଗରେ ନାଦର ୱିପ୍ରୋ ମାଲିକ ଅଜିମ ପ୍ରେମ୍‌ଜୀଙ୍କୁ ପଛରେ ପକାଇଥିବା ପ୍ରକାଶ । ବିଗତ ଦୁଇବର୍ଷ ଧରି ତାଲିକାର ଶୀର୍ଷରେ ରହିଆସୁଥିବା ପ୍ରେମ୍‌ଜୀ ବର୍ଷକୁ ୪୮୪ କୋଟି ଟଙ୍କା ଦାନ କରୁଥିବା ରିପୋର୍ଟରୁ ଜଣାପଡିଛି । ଏଥର ତାଙ୍କର ମାନ୍ୟତା ଦ୍ୱିତୀୟକୁ ଖସିଆସିଛି । ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମାଲିକ ମୁକେଶ ଅମ୍ବାନୀ । ତାଙ୍କର ବାର୍ଷିକ ଦାନ ପରିମାଣ ୪୧୧ କୋଟି ଟଙ୍କା ଥିବାବେଳେ ତାଙ୍କ ପଛକୁ ଆଦିତ୍ୟ ବିର୍ଲା କମ୍ପାନୀର କୁମାର ମଙ୍ଗଳମ ବିର୍ଲା (୨୪୨ କୋଟି) ୪ର୍ଥ, ମାଇଣ୍ଡ ଟ୍ରି କମ୍ପାନୀର ସୁସ୍ମିତା ଓ ସୁବ୍ରତ ବାଗ୍‌ଚୀ ଏବଂ ରାଧା ଓ ଏନ୍‌.ପାର୍ଥସାରଥି (୨୧୩ କୋଟି) ଯୁଗ୍ମଭାବେ ୫ମ, ଅଦାନୀ ଗ୍ରୁପ୍‌ର ଗୌତମ ଅଦାନୀ (୧୯୦ କୋଟି) ୭ମ, ବେଦାନ୍ତ ମାଲିକ ଅନିଲ ଅଗ୍ରୱାଲ (୧୬୫ କୋଟି) ୮ମ, ଇନ୍‌ଫୋସିସ୍ କମ୍ପାନୀର ନନ୍ଦନ ନିଲେକାନି (୧୫୯ କୋଟି) ୯ମ ଏବଂ ଲାର୍ସନ ଆଣ୍ଡ୍ ଟ୍ୟୁବ୍ରୋ କମ୍ପାନୀର ଏ.ଏମ.ନାୟକ (୧୪୨ କୋଟି) ୧୦ମ ସ୍ଥାନ ଅଧିକାର କରିଛନ୍ତି । ଚଳିତ ତାଲିକାରେ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଦାନ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ଅପରପକ୍ଷରେ ଦେଶର ୫ ସବୁଠାରୁ ବଦାନ୍ୟ ମହିଳାଙ୍କ ତାଲିକାରେ ‘ରୋହିଣୀ ନିଲେକାନି ଫିଲାନ୍‌ଥ୍ରୋପିଜ୍‌’ କମ୍ପାନୀର ମାଲିକାଣି ରୋହିଣୀ ନିଲେକାନି ବର୍ଷକୁ ୧୨୦ କୋଟି ଦାନ କରି ତାଲିକାର ସର୍ବାଗ୍ରେ ରହିଛନ୍ତି । ତାଙ୍କ ପଛକୁ ୟୁଏସ୍‌ଭି କମ୍ପାନୀର ଲୀନା ଗାନ୍ଧୀ ତିୱାରୀ (୨୧ କୋଟି) ୨ୟ, ଥର୍ମାକ୍ସ କମ୍ପାନୀର ଅନୁ ଆଗା (୨୦ କୋଟି) ୩ୟ, ଲୁପିନ୍ କମ୍ପାନୀର ମଞ୍ଜୁ ଗୁପ୍ତା (୧୬ କୋଟି) ୪ର୍ଥ ଏବଂ ହିରୋ ମୋଟୋକର୍ପ କମ୍ପାନୀର ରେଣୁ ମୁଞ୍ଜଲ (୧୦ କୋଟି) ୫ମ ସ୍ଥାନରେ ରହିଛନ୍ତି ।