୧୦ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ

ଭୁବନେଶ୍ବର:  ଅକ୍ଟୋବର ୧୦ ତାରିଖ ଠାରୁ ପର୍ୟ୍ୟଟକଙ୍କ ଲାଗି ଶିମିଳିପାଳ ଅଭୟାରଣ୍ୟ ଖୋଲାଯିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ୟ୍ୟାଳୟ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥର ପର୍ୟ୍ୟଟକମାନେ ଦୁର୍ଗାପୂଜାରେ ଶିମିଳିପାଳ ଭ୍ରମଣ ସହିତ ରାତ୍ରିଯାପନର ସୁବିଧା ପାଇପାରିବେ। ଜୁନ ୧୨ ତାରିଖଠାରୁ ଶିମିଳିପାଳ ମଧ୍ୟକୁ ପର୍ୟ୍ୟଟକଙ୍କ ପ୍ରବେଶ ବନ୍ଦ କରାଯାଇଥିଲା। ବିଭାଗ ପକ୍ଷରୁ ଜାରି ନିୟମାବଳୀ ଅନୁଯାୟୀ, ଶିମିଳିପାଳ ମଧ୍ୟକୁ ପର୍ୟ୍ୟଟକମାନେ ବାରିପଦାର ପିଠାବଟା ଫାଟକ ଏବଂ ଯଶିପୁରର କାଳିଆଣି ଫାଟକ ଦେଇ ପ୍ରବେଶ କରିବେ। ତତ୍ସହିତ ଦୈନିକ ସର୍ବାଧିକ ପ୍ରଥମେ ପହଞ୍ଚିଥିବା ୨୫ଟି ଚାରି ଚକିଆ ଯାନ ପିଠାବଟା ତନଖି ଫାଟକ ମଧ୍ୟ ଦେଇ ଏବଂ ପ୍ରଥମ ୩୫ଟି ଚାରି ଚକିଆ ଯାନ ଯଶିପୁର କାଳିଆଣି ତନଖି ଫାଟକ ମଧ୍ୟ ଦେଇ ପ୍ରବେଶ ପାଇଁ ଅନୁମତି ଦେବା ବ୍ୟବସ୍ଥା ରଖାଯାଇଛି। ଶିମିଳିପାଳ ମଧ୍ୟକୁ ଯିବାକୁ ଥିବା ସମସ୍ତ ଚାରି ଚକିଆ ଯାନ ଗୁଡିକ ୧୮୦ ଏମଏମ କିମ୍ବା ଅଧିକ ଗ୍ରାଉଣ୍ଡ କ୍ଲିୟରେନ୍ସ ରହିବା ଆବଶ୍ୟକତା ରହିଥିବା ସହିତ ବ୍ୟାଘ୍ର ପ୍ରକଳ୍ପ ଭିତରକୁ ପ୍ରବେଶ ସମୟରେ ପ୍ରତ୍ୟେକ ଯାନ ସହିତ ଜଣେ ଗାଇଡ ନେବା ବାଧ୍ୟତାମୂଳକ ରହିଛି। ଏହି ଫାଟକ ଦେଇ ଭାରୀଯାନ ପ୍ରବେଶକୁ ନିଷେଧ କରାଯାଇଛି।