ମୁମ୍ବାଇ: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟିର ବରିଷ୍ଠ ନେତା ଶରଦ ପାୱାର ସୁସ୍ଥ ହୋଇ ଆଜି ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ଡାକ୍ତରଖାନାରୁ ଘରକୁ ଫେରିଛନ୍ତି। ଛାତିରେ ଯନ୍ତ୍ରଣା ଏବଂ ଶ୍ୱାସକ୍ରିୟା ଜନିତ ସମସ୍ୟା କାରଣରୁ ୮୫ ବର୍ଷୀୟ ଏହି ନେତା ଗତ କିଛି ଦିନ ହେବ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ଡାକ୍ତରୀ ପରୀକ୍ଷା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ହେବାରୁ ଡାକ୍ତରୀ ଟିମ୍ ତାଙ୍କୁ ଛୁଟି ଦେଇଛନ୍ତି ଏବଂ ସେ ଦକ୍ଷିଣ ମୁମ୍ବାଇସ୍ଥିତ ନିଜ ବାସଭବନକୁ ଫେରିଯାଇଛନ୍ତି। ପ୍ରକାଶ ଯେ, ଗତ ନଭେମ୍ବର ୨ ତାରିଖରେ କାଶ ଓ ଛାତି ଯନ୍ତ୍ରଣା ଯୋଗୁଁ ତାଙ୍କୁ ପ୍ରଥମେ ପୁଣେର ରୁବି ହଲ୍ କ୍ଲିନିକରେ ଭର୍ତ୍ତି କରାଯାଇଥିଲା। ସେଠାରୁ ନଭେମ୍ବର ୪ ତାରିଖରେ ଛୁଟି ପାଇବା ପରେ ସେହିଦିନ ରାତିରେ ପୁଣି ଅସୁସ୍ଥତା ଅନୁଭବବାରୁ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ପ୍ରତୀତ ସାମଦାନୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା କରାଯାଇଥିଲା ଏବଂ ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ପରେ ତାଙ୍କୁ ଘରକୁ ଯିବାକୁ ଅନୁମତି ମିଳିଛି।