କମ୍ପିବ ଝାରସୁଗୁଡା ପ୍ରଚାର; ମୈଦାନରେ ଆଜି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ଝାରସୁଗୁଡ଼ା : ପାଖେଇ ଆସିଲାଣି ଝାରସୁଗୁଡ଼ା ନିର୍ବାଚନ । ଭୋଟରଙ୍କୁ ମନାଇବାକୁ ସବୁ ଦଳ ମନାଇଛନ୍ତି ମାରାଥନ୍‌ ପ୍ରଚାର । ଆଜି ଦୁଲୁକିବ ମୈଦାନ । ଝାରସୁଗୁଡ଼ାରେ ହାଇଭୋଲଟେଜ୍‌ ପ୍ରଚାର ଦେଖିବାକୁ ମିଳିବ । ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାଧାରଣ ସଭା ଓ ରୋଡ ଶୋ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ଭୋଟ୍‌ ଅପିଲ୍‌ । ନବୀନଙ୍କ ପ୍ରଚାର ପାଇଁ ଝାରସୁଗୁଡ଼ା ଅମିଲିପାଲି ପଡ଼ିଆରେ ବିରାଟ ସମାବେଶର ଆୟୋଜନ କରାଯାଇଛି । ଅପରାହ୍ନ ୪ଟାରେ ଝାରସୁଗୁଡ଼ା ପୁରୁଣା ସର୍କିଟ୍‌ ହାଉସ୍‌ପଡ଼ିଆରେ ଜନ ସଭାକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ଉତ୍ସାହିତ ଅଛନ୍ତି ଦଳୀୟ ନେତା ଓ କର୍ମୀ । ନବୀନଙ୍କୁ ଅପେକ୍ଷା କରି ରହିଛନ୍ତି । ଉପନିର୍ବାଚନରେ କେବଳ ବିଜୟ ନୁହେଁ, ବଡ଼ ମାର୍ଜିନରେ ଜିତିବାକୁ ଲକ୍ଷ୍ୟ ରଖିଛି ବିଜେଡି ।

ଏନେଇ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । କାର୍ଯ୍ୟକ୍ରମ ସମୟରେ ୫ ଜଣ ଡିଏସ୍‌ପି, ୧୫ ଜଣ ଇନ୍‌ସପେକ୍ଟର, ୨୨ ଜଣ ସବ୍‌ ଇନ୍‌ସପେକ୍ଟର, ୬୪ ଜଣ ଏଏସ୍‌ଆଇ, ୫ ଜଣ ହାବିଲଦାର, ୧୩୧ ଜଣ ଓଆର୍‌ କନେଷ୍ଟବଳ, ୨୯ ଜଣ ମହିଳା କନେଷ୍ଟବଳ, ୧୪୬ ଜଣ ହୋମ୍‌ଗାର୍ଡ, ସାଢ଼େ ୩ ସେକ୍ସନ ଏପିଆର୍‌କୁ ମିଶାଇ ମୋଟ ୧୪.୫ ପ୍ଲାଟୁନ ପୁଲିସ୍‌ ମୁତୟନ ହେବେ । ଆଜି ୩.୪୫ମି.ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ସ୍ବତନ୍ତ୍ର ବିମାନ ଯୋଗେ ବାହାରି ଅପରାହ୍‌ଣ ସାଢ଼େ ୪ଟାରେ ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିବେ । ସେଠାରୁ ସେ ଆମଲିପାଲିସ୍ଥିତ ସଭାସ୍ଥଳକୁ ଯିବେ । ସଭାରେ ଝାରସୁଗୁଡ଼ାବାସୀଙ୍କୁ ଉଦ୍‌ବୋଧନ ଦେବା ପରେ ୫ଟା ୧୫ମିନିଟରେ ଝାରସୁଗୁଡ଼ା ବିମାନବନ୍ଦରରୁ ଭୁବନେଶ୍ବର ଅଭିମୁଖେ ବାହାରିଯି‌ବେ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ୧୧ଟାରେ କୋଲାବିରା ବ୍ଲକ ଝିର୍ଲିପାଲି ପଞ୍ଚାୟତରେ ହେବାକୁ ଯାଉଥିବା ସାଧାରଣ ସଭାରେ କେନ୍ଦ୍ରମନ୍ତ୍ରୀ ଯୋଗ ଦେବେ। ଅପରାହ୍‌ଣ ସାଢ଼େ ୪ଟାରେ ଝାରସୁଗୁଡ଼ା ସହରର ବସ୍‌ଷ୍ଟାଣ୍ଡରୁ ନେଇ ସରବାହାଲ ଯାଏ ରୋଡ୍‌ ସୋ କରିବେ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି । ରାତି ୯ଟାରେ ଝାରସୁଗୁଡ଼ା ବିମାନବନ୍ଦରରୁ ବାହାରି ବେଙ୍ଗାଲୁରୁ ଫେରିଯିବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ।