ଆଦାନୀ ମାମଲା ମୁହଁ ଖୋଲିଲେ ଶାହା!

ଆଦାନୀ ମାମଲରେ ବିରୋଧୀ ଲଗାତର କେନ୍ଦ୍ର ସରକାରଙ୍କୁ ଘେରୁଥିବା ବେଳେ ସଂସଦରେ ମଧ୍ୟ ହଙ୍ଗାମା କରୁଛନ୍ତି । ଏହି ମାମଲାର ତଦନ୍ତ ପାଇଁ ଜେପିସି ଗଠନ କରିବାକୁ ବିରୋଧୀ ଦାବି କରୁଛନ୍ତି । ଏସବୁ ମଧ୍ୟରେ ଏହି ମାମଲାରେ ମୁହଁ ଖୋଲିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଶାହ କହିଛନ୍ତି, ସୁପ୍ରିମକୋର୍ଟ ଏହି ଘଟଣାର ଅବଗତ ହୋଇସାରିଛନ୍ତି । କୋର୍ଟ ଏକ ତଦନ୍ତ କମିଟି ମଧ୍ୟ ଗଠନ କରିଛନ୍ତି । ଶାହ କହିଛନ୍ତି, ଯଦି କିଛି ଭୁଲ ହୋଇଛି ତେବେ କାହାରିକୁ ଛଡ଼ାଯିବ ନାହିଁ ।

ଯଦି ଏହି ଘଟଣାରେ କାହା ପାଖରେ କିଛି ପ୍ରମାଣ ଥାଏ ତେବେ ତାକୁ ସୁପ୍ରିମକୋର୍ଟଙ୍କ କମିଟି ନିକଟରେ ସେ ଦାଖଲ କରିବା ଉଚିତ । ଶାହ ଆହୁରି କହିଛନ୍ତି, ଏ ପ୍ରସଙ୍ଗର ଆମ ସରକାର ସହିତ କୌଣସି ସମ୍ପୃକ୍ତି ବା ଅନିଶ୍ଚିତତା ନାହିଁ । ଘଟଣା ତଦନ୍ତ କରିବା ଲାଗି ସୁପ୍ରିମକୋର୍ଟ କମିଟି ଗଠନ କରିଛନ୍ତି । ଜନସାଧାରଣ ବିଚାର ବ୍ୟବସ୍ଥା ଉପରେ ଆସ୍ଥା ରଖିବା ଉଚିତ । ସେପଟେ ବିରୋଧୀଙ୍କ ହଙ୍ଗାମା ଭିତରେ ସଂସଦ ଅଚଳ ହେଉଥିବା ନେଇ ମଧ୍ୟ ଶାହ ପ୍ରତିକ୍ରିୟା ରଖିଛନ୍ତି । ବିରୋଧୀ ଦଳ ଆଲୋଚନା କରି ବୁଝାମଣାରେ ଉପନୀତ ହେଲେ ଯାଇ ସମସ୍ୟାର ସମାଧାନ ହୋଇପାରିବ ।

ଦୁଇ ପକ୍ଷ ବାଚସ୍ପତିଙ୍କ ସମ୍ମୁଖରେ ବସି ଆଲୋଚନା କରନ୍ତୁ । ସେମାନେ ଦୁଇ ପାଦ ଆଗକୁ ବଢ଼ିଲେ ଆମେ ବି ଦୁଇ ପାଦ ଆଗକୁ ବଢ଼ିବୁ । ତେବେ ଯାଇ ସଂସଦ ଚାଲିବ । କିନ୍ତୁ, ସେମାନେ ଖାଲି ସାମ୍ବାଦିକ ସମ୍ମିଳନୀ ଛଡ଼ା କିଛି କରୁ ନାହାନ୍ତି । ଏମିତିରେ ଗୃହ କାର୍ଯ୍ୟ ସମ୍ଭବ ହେବ ନାହିଁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି । ତେବେ ଏହି ପ୍ରସଙ୍ଗ ଆଗକୁ କେଉଁ ମୋଡ ନେଉଛି ତାହା ଉପରେ ସମସ୍ତଙ୍କ ନଜର ।