ମୁକ୍ତିଲାଭ କଲା “ଶାନ୍ତି ଆପାର୍ଟମେଣ୍ଟ”ର ମ୍ୟୁଜିକ୍ ଓ ଟ୍ରେଲର

ଭୁବନେଶ୍ବର : ସମ୍ପୂର୍ଣ୍ଣ ମୌଳିକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଶାନ୍ତି ଆପାର୍ଟମେଣ୍ଟ’ର ମ୍ୟୁଜିକ ରିଲିଜ୍ ହୋଇଯାଇଛି । ଏହି ଅବସରରେ ସିନେମାର କଳାକାର ଓ ତେକ୍ନିସିଆନଙ୍କ ସମେତ ଓଲିଉଡ଼ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଦ୍ବୀପନ୍ବିତ ଦାସମହାପାତ୍ର, ଶୁଭାଶିଷ, ରାଗିଣୀ, ଆଲିଆ, ବରଦା, ସନ୍ତୁ ପ୍ରସନ୍ନଜିତ, ଶକ୍ତି, ରାକ୍ଷୀ, ଅନୁଷ୍କା ପ୍ରମୁଖ କଳାକାର ଅଭିନୟ କରିଛନ୍ତି। ଫିଲ୍ମଟି ଫେବୃଆରୀ ୨ରେ ପରଦା ଉପରକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।

ରହସ୍ୟ ଓ ରୋମାଞ୍ଚ ଭର୍ତ୍ତି ହୋଇଥିବା ଏହି ସିନେମା ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇ ଦେବ ବୋଲି ନିର୍ଦ୍ଦେଶକ ଅଶ୍ବିନୀ ତ୍ରିପାଠୀ କହିଛନ୍ତି । ବିକ୍ରମ ଶଙ୍କର ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା ଦାୟିତ୍ୱ ନେଇଥିବା ବେଳେ କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ଅଭିଜିତ। ଫିଲ୍ମଟିର କାହାଣୀ ଏବଂ ଚିତ୍ରନାଟ୍ୟ ସହିତ ନିର୍ଦ୍ଦେଶନାର ଦାୟିତ୍ଵ ତୁଲାଇଛନ୍ତି ଅଶ୍ବିନୀ ତ୍ରିପାଠୀ। ସଂଳାପ ଦାୟିତ୍ବରେ ଅଛନ୍ତି ଆଗଧାଡ଼ିର ସଂଳାପକାର ତଥା ନାଟ୍ୟକାର ଡ. ଦୀପକ ଜେନା।

ସନ୍ଦୀପ ପଣ୍ଡାଙ୍କ ସଂଗୀତ ନିର୍ଦେଶନାରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଅର୍ପିତା ଚୌଧୁରୀ, ସ୍ବୟମ ପାଢ଼ୀ ଏବଂ ସଂଗୀତ ନିର୍ଦଶକ ନିଜେ ସନ୍ଦୀପ ପଣ୍ଡା ମଧ୍ୟ ପ୍ରଚ୍ଛଦପଟ ଗାୟକ ଭାବେ ଏଥିରେ ସାମିଲ ରହିଛନ୍ତି  ସୂଚନାଯୋଗ୍ୟ ଏହାପୂର୍ବରୁ ଅଶ୍ବିନୀ ‘ଡେଲିଭରି ବୟ ଏବଂ ‘ଡଟପେନ୍’ ଫିଲ୍ମର ନିର୍ଦ୍ଦେଶନା ଦେଇସାରିଛନ୍ତି ।