ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ: ୪୪ମୃତ, ୩୦୦ରୁ ଅଧିକ ଆହତ

ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ। ଏଥିରେ ୪୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଛନ୍ତି। ସୋମବାର ଅପରାହ୍ନରେ ଜାଭା ଦ୍ୱୀପର ସିଆନଞ୍ଜୁରରେ ୫.୬ ତୀବ୍ରତାର ଭୂମିକମ୍ପ ହୋଇଛି। ରାଜଧାନୀ ଜକାର୍ତ୍ତାରୁ ଦକ୍ଷିଣପଶ୍ଚିମ ଦିଗରେ ୭୫ କିମି ଦୂରରେ ଭୂମିକମ୍ପ ଅନୁଭୂତ ହୋଇଛି। ୧୦ କିମି ଗଭୀରରେ ଏହା କେନ୍ଦ୍ରୀଭୂତ ହୋଇଛି। ଇଣ୍ଡୋନେସିଆ ଭୂବିଜ୍ଞାନୀ ଏହି ସୂଚନା ଦେଇଛନ୍ତି। ତେବେ ସୁନାମୀର ଭୟ ନାହିଁ ବୋଲି ଭୂବିଜ୍ଞାନୀ କହିଛନ୍ତି।

କିଛି ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୁତ ହୋଇଥିଲେ ଏଥିରେ ଲୋକଙ୍କ ଜୀବନ ଯାଇଛି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ତେବେ ସମ୍ପତ୍ତି ନଷ୍ଟ ହେବା ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ଇଣ୍ଡୋନେସିଆ ଭୂମିକମ୍ପ ସମ୍ପର୍କରେ ସୂଚନା ଦେଇ ସିଆନଜୁର ପ୍ରଶାସନ ମୁଖ୍ୟ ହରମନ ଶୁହେରମନ କହିଛନ୍ତି ଯେ “ ବର୍ତ୍ତମାନ ପର୍ଯ୍ୟନ୍ତ ମୋତେ ମିଳିଥିବା ସୂଚନା ଅନୁସାରେ, ହସ୍‌ପିଟାଲରେ ଚିକିତ୍ସିତ ଅବସ୍ଥାରେ ୪୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୩୦୦ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ବିଲ୍ଡିଂ ଭୁଶୁଡ଼ି ପଡ଼ିବାରୁ ଅଧିକାଂଶଙ୍କ ଶରୀର ହାଡ଼ ଭାଙ୍ଗିଯାଇଛି।” ମେଟ୍ରୋ ଟିଭିକୁ ସୂଚନା ଦେଇ ଏପରି କହିଛନ୍ତି ହରମନ।

ସିଆନଞ୍ଜୁର ଗୋଟିଏ ହସ୍‌ପିଟାଲ୍‌ରେ ସ୍ଥିତି ଏମିତି। ସହରରେ ଏଭଳି ୪ଟି ହସ୍‌ପିଟାଲ୍‌ରେ। ତେଣୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଥିବା ହରମନ କହିଛନ୍ତି। ଜାତୀୟ ବିପର୍ଯ୍ୟୟ ପରିଚାଳନା ଏଜେନ୍ସିର ସୂଚନା ଅନୁସାର ସିଆନଞ୍ଜୁର ଅଞ୍ଚଳରେ ଅନେକ ଘର ଓ ଇସ୍ଲାମିକ ବୋର୍ଡିଂ ସ୍କୁଲ୍ ଭାଙ୍ଗିରୁଜି ଯାଇଛି। ଏବେ କ୍ଷୟକ୍ଷତିର ଆକଳନ ଚାଲିଛି ବୋଲି ଏଜେନ୍ସି କହିଛି।