କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

ଭୁବନେଶ୍ୱର: କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ଏକ ମହାମିଶ୍ରଣ ସମାବେଶରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଓ କଂଗ୍ରେସ ପ୍ରଭାରୀ ଶ୍ରୀ ଅଜୟ କୁମାର ଲଲ୍ଲୁ ନିମାପଡାର ବିଶିଷ୍ଟ ନେତା ଶ୍ରୀ ସତ୍ୟବ୍ରତ ପାତ୍ରଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ ଓ କଂଗ୍ରେସ ସଭ୍ୟ ଫର୍ମ ପୂରଣ କରି ଦଳରେ ସଭ୍ୟ ଭାବରେ ଗ୍ରହଣ କରିଥିଲେ । ସୂଚନାଯୋଗ୍ୟ ସତ୍ୟବ୍ରତ ପାତ୍ର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ଅଭିଭକ୍ତ ପୁରୀ ଜିଲ୍ଲାର କଂଗ୍ରେସ ବିଧାୟକ ସ୍ୱର୍ଗତ ବୃନ୍ଦାବନ ପାତ୍ରଙ୍କ ପୁତ୍ର ଅଟନ୍ତି । ଶ୍ରୀ ପାତ୍ର ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଭାବରେ ଦାୟିତ୍ୱ ତୁଲାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ କିଛି ମତାନ୍ତର ଘଟିବାରୁ ସିଏ ବିଜେଡ଼ି ଦଳରେ ଯୋଗଦାନ କରିଥିଲେ । ଆଜି ହଜାର ହଜାର ସମର୍ଥକଙ୍କ ସହ ଶ୍ରୀ ପାତ୍ର କଂଗ୍ରେସକୁ ବାହୁଡ଼ି ଆସିବାରୁ ପୁରୀ ଜିଲ୍ଲା କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଆନନ୍ଦ ଖେଳି ଯାଇଛି। ସ୍ୱାଗତ ଜଣାଇ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡାମ, କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସନ୍ତୋଷ ସିଂ ସାଲୁଜା, ଶ୍ରୀକାନ୍ତ ଜେନା, ଜଗନ୍ନାଥ ପଟ୍ଟନାୟକ, ସୁରେଶ କୁମାର ରାଉତରାୟ, ଅନନ୍ତ ପ୍ରସାଦ ସେଠୀ, ଶରତ ରାଉତ, ବିଜୟଲକ୍ଷ୍ମୀ ସାହୁ, ଶିବାନନ୍ଦ ରାୟ, ମୀନାକ୍ଷୀ ବାହିନୀପତି, ଶୁଭେନ୍ଦୁ ମହାନ୍ତି ପ୍ରମୁଖ ଶ୍ରୀ ପାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ କଂଗ୍ରେସ ଅଧିକ ଶକ୍ତିଶାଳୀ ହେବ ବୋଲି କହିଥିଲେ।