ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ପାଇଲେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝି ତାଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇଛନ୍ତି। ଏନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଆଇନ କ୍ଷେତ୍ରରେ ତାଙ୍କ ଦୀର୍ଘ ଦିନର ଅଭିଜ୍ଞତା ରହିଛି।  ଭାରତର ସମ୍ବିଧାନ ଧାରା ୧୬୫, ଖଣ୍ଡ (୧) ଅନୁଯାୟୀ, ଓଡ଼ିଶା ରାଜ୍ୟପାଳ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଡଭୋକେଟ୍ ପୀତାମ୍ବର ଆଚାର୍ଯ୍ୟଙ୍କୁ ରାଜ୍ୟର ଆଡଭୋକେଟ୍ ଜେନେରାଲ୍ ଭାବରେ ନିଯୁକ୍ତ କରିଛନ୍ତି। ସୂଚନାଥାଉ କି, ମୋହନ ସରକାରକୁ ମାସେ ବିତିବା ପରେ ମଧ୍ୟ ଏଜି ପଦବୀ ଖାଲି ପଡିଥିଲା ଯାହାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ହେବା ସହ ବିରୋଧୀ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ତେବେ ଆଜି ସରକାର ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ଏଜି ଭାବେ ନିଯୁକ୍ତି କରିଛନ୍ତି। ନିର୍ବାଚନ ପୂର୍ବରୁ ପୀତାମ୍ବର ଦଳ ପାଇଁ ଅନେକ ପ୍ରସଙ୍ଗରେ ଆଇନଗତ ଲଢେଇ ଲଢି ବଳ ଯୋଗାଇଛନ୍ତି। ଓଡ଼ିଶା ହାଇକୋର୍ଟରେ ପିତାମ୍ବର ବରିଷ୍ଠ ଆଇନଜୀବୀ ଅଛନ୍ତି। ସେହିପରି ୨୦୧୯ରେ ଭାଜପା ଟିକେଟରେ ହିଞ୍ଜିଳିରୁ ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢିଛନ୍ତି।