ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆ ଆଉ ନାହାନ୍ତି

ଦୀର୍ଘଦିନ ଧରି କୋଭିଡରେ ଆକ୍ରାନ୍ତ ହୋଇ ନିକଟରେ ସୁସ୍ଥ ହୋଇଥିବା ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କର ଆଜି ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁ ସମ୍ପର୍କରେ ଝିଅ ମଲ୍ଲିକା ଦୁଆ ଏହି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା।
ସୂଚନା ଅନୁସାରେ ଶ୍ରୀ ଦୁଆ କୋଭିଡ୍‌ ରୁ ସୁସ୍ଥ ହେବା ପରେ ତାଙ୍କ ଠାରେ କୋଭିଡ୍‌ ପରବର୍ତ୍ତୀ ସ୍ୱାସ୍ଥ୍ୟ ଜନିତ ଜଟିଳ ସମସ୍ୟା ଦେଖାଦେଇଥିଲା । ତେଣୁ ତାଙ୍କୁ ନିକଟରେ ପୁଣି ଥରେ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ଆଉ ଚିକିତ୍ସାଧୀନ ଅବସ୍ଥାରେ ସେ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଆସନ୍ତାକାଲି ଦିଲ୍ଲୀ ରେ ବିନୋଦ ଦୁଆଙ୍କ ଶେଷକୃତ୍ୟ ସଂପନ୍ନ ହେବ। ତାଙ୍କ ଝିଅ ଏହି ବିଷୟରେ ସୂଚନା ଦେଇଛନ୍ତି। ତେବେ ବିନୋଦଙ୍କ ସହିତ ତାଙ୍କ ପତ୍ନୀ ପଦ୍ମାବତୀ ଦୁଆଙ୍କୁ ମଧ୍ୟ କରୋନା ହୋଇଥିଲା। ସେ ବି ସେତେବେଳେ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଦୀର୍ଘ ଦିନ ଧରି କରୋନା ସହିତ ଲଢ଼େଇ କରିବା ପରେ ଗତ ଜୁନ୍ ମାସରେ ତାଙ୍କ ପତ୍ନୀଙ୍କ ପରଲୋକ ହୋଇଥିଲା।
ଭାରତରେ ବୈଦ୍ୟୁତିକ ଗଣମାଧ୍ୟମ ଜଗତରେ ବିନୋଦ ଦୁଆ ବେଶ୍ ଜଣାଶୁଣା ଥିଲେ। ସେ ତାଙ୍କ କ୍ୟାରିୟରର ଅଧିକାଂଶ ଭାଗ ଦୂରଦର୍ଶନ ଓ ଏନ୍‌ଡିଟିଭିରେ କାମ କରିଥିଲେ। ଏହାବାଦ୍ ସେ ଅନ୍ୟ ଟେଲିଭିଜନ ଚ୍ୟାନେଲ୍‌ରେ ବିଭିନ୍ନ ଶୋ’ କରିଥିଲେ। ସେହିପରି ସେ ଡିଜିଟାଲ୍ ମିଡିଆରେ ବି ସକ୍ରିୟ ଥିଲେ।

Comments (0)
Add Comment