ଭୁବନେଶ୍ୱର : ବର୍ଷ ସାରା ହେବ ପଥ ଉତ୍ସବ । ବର୍ଷା ମାସକୁ ଛାଡିଦେଲେ ବର୍ଷକୁ ୧୨ ଥର ପଥ ଉତ୍ସବ କରିବାକୁ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ପଥ ଉତ୍ସବରେ ଲୋକଙ୍କ ଉତ୍ସାହ ଓ ଭିଡ଼କୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି । ରବିବାର ଦ୍ୱିତୀୟ ପଥ ଉତ୍ସବରେ ହଜାର ହଜାର ଲୋକଙ୍କ ଭିଡ଼ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ରାଜଧାନୀରେ ଶୀତୁଆ ସକାଳରେ ଜମୁଛି ପଥୋତ୍ସବର ମଜା । ଜାଗମରାରେ ଆୟୋଜିତ ଦ୍ୱିତୀୟ ପଥଉତ୍ସବରେ ଜମିଥିଲା ନୃତ୍ୟ ଗୀତର ଆସର। ବରମୁଣ୍ଡା ନୀଳକଣ୍ଠେଶ୍ଵର ମନ୍ଦିରରୁ ଜାଗମରା ଛକ ପର୍ଯ୍ୟନ୍ତ ହୋଇଥିଲା ପଥ ଉତ୍ସବ । କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଅସୀମା ପଣ୍ଡା, ସତ୍ୟଜିତ୍ ପ୍ରଧାନ, ଜୟଦେବ ଡ୍ୟାନ୍ସ ଗ୍ରୁପ ସାମିଲ ହୋଇଥିଲେ । ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ, ଲୁଡୁ, କୁଇଜ୍ କମ୍ପିଟିସନ, ରଙ୍ଗୋଲୀ, ମ୍ୟାଜିକ ଶୋରେ ମସଗୁଲ ହୋଇଥିଲେ ରାଜଧାନୀର ପିଲାଠୁ ବୟସ୍କ । ଖାଦ୍ୟ ଷ୍ଟଲ ମଧ୍ୟ ଖୋଲିଛି, ଯେଉଁଠି ବିଭିନ୍ନ ପାରମ୍ପରିକ ଖାଦ୍ୟ ମିଳୁଛି। ଏଥି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ବିଏମସି ମେୟର ସୁଲୋଚନା ଦାସ ଓ ଏକାମ୍ର ବିଧାୟକ ବାବୁ ସିଂ ପ୍ରମୁଖ ଯୋଗ ଦେଇଥିଲେ ।