ଭୁବନେଶ୍ୱର : ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଘନେଇଛି ଯୁଦ୍ଧ ଆଶଙ୍କା । ଆନୁଷ୍ଠାନିକ ଭାବରେ ଯୁଦ୍ଧ ଘୋଷଣା ହୋଇ ନଥିଲେ ବି ଉଭୟ ଦେଶ ମଧ୍ୟରେ ଆକ୍ରମଣ-ପ୍ରତିଆକ୍ରମଣ ଜୋର ଧରିଛି । ଏଭଳି ପରିସ୍ଥିତିରେ ପୁରା ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ସେହିଭଳି ଓଡ଼ିଶାରେ ପୁରୀ ଶ୍ରୀମନ୍ଦିର ସହ କେତେକ ପ୍ରମୁଖ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯାଇଛି ।
ଗତକାଲି ରାତିରୁ ପୋଲିସ ପକ୍ଷରୁ ପୁରୀ ସହରରେ କଡ଼ାକଡ଼ି ଯାଞ୍ଚ ହୋଇଥିଲା । ଶ୍ରୀମନ୍ଦିର ଚାରିପାଖେ ସ୍ଵତନ୍ତ୍ର ସୁରକ୍ଷା ବାହିନୀ ନିୟୋଜିତ ହୋଇଛନ୍ତି । ସହରର ବିଭିନ୍ନ ସ୍ଥାନରେ ରାତିରେ ଚେକିଂ କଡାକଡି ହେବା ସହ ଶ୍ରୀମନ୍ଦିର ସୁରକ୍ଷା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ଗୁରୁବାର ସାରା ରାତିରେ ଚେକିଂ ଏବଂ ବ୍ଲକିଂ ଜୋରଦାର କରାଯାଇଥିଲା। ସହରର ବିଭିନ୍ନ ହୋଟେଲ,ଲଜ୍, ଧର୍ମଶାଳ ଗୁଡ଼ିକରେ ମଧ୍ୟ ଯାଞ୍ଚ କରାଯାଇଛି। ହୋଟେଲ ରହୁଥିବା ଲୋକମାନଙ୍କର ପରିଚୟପତ୍ର ଯାଞ୍ଚ କରାଯାଉଛି।
ଓଡ଼ିଶାର ତଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ହାଇ ହାଇଆଲର୍ଟ ଜାରି କରାଯାଇଛି । ପୁରୀ ସମେତ ଅନ୍ୟାନ୍ୟ ଅଞ୍ଚଳ ହାଇଆଲର୍ଟରେ ରହିଛି । ସେହିଭଳି ଭଦ୍ରକ ଜିଲ୍ଲାର ଜିଲ୍ଲାର ବାସୁଦେବପୁର, ଚାନ୍ଦବାଲି ଓ ଧାମରା ଅଞ୍ଚଳରେ ଅଧିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଲଏନଜି ଟର୍ମିନାଲ, ଏସିଆର ବୃହତ୍ତମ ବନ୍ଦର ଧାମରା ବନ୍ଦର ଓ ପ୍ରତିରକ୍ଷା ରିସର୍ଚ୍ଚ ସେଣ୍ଟର ଥିବାରୁ ଏହି ଅଞ୍ଚଳ ଗୁଡିକୁ ସମ୍ବେଦନଶୀଳ ଭାବେ ଗ୍ରହଣ କରାଯାଇଛି । ମେରାଇନ୍ ପୋଲିସ ମଧ୍ୟ ସଜାଗ ରହିଛି । ମକ୍ ଡ୍ରିଲ୍ ବେଳେ ମତ୍ସ୍ୟଜୀବୀଙ୍କୁ ସଚେତନ କରାଯାଇଛି ।
ଅନ୍ୟପଟେ ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପୂର୍ବାଞ୍ଚଳ ରେଞ୍ଜ୍ ଡିଆଇଜି ସତ୍ୟଜିତ ନାୟକ ଘାଟିର ସୁରକ୍ଷା ପାଇଁ ଆସନ୍ତାକାଲି ସୁରକ୍ଷା ବୈଠକ ଡକାଇଛନ୍ତି। ଅପରାହ୍ନ ୨ଟାରେ PXE କ୍ୟାମ୍ପସ୍ରେ ବୈଠକ ହୋଇପାରେ ବୋଲି କୁହାଯାଉଛି। ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) କାର୍ଯ୍ୟାଳୟରେ ମଧ୍ୟ ବୈଠକ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ITR ନିର୍ଦ୍ଦେଶକ, PXE ନିର୍ଦ୍ଦେଶକ, ଜିଲ୍ଲାପାଳ, ଏସ୍ପି ବୈଠକରେ ଯୋଗ ଦେବେ ବୋଲି ସୂଚନା ମିଳିଛି।