ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ଅରବିନ୍ଦ କୁମାର ପାଢ଼ୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଆରୁମୁଗମ୍, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଏବଂ ଅନ୍ୟ ସମସ୍ତ ବିଭାଗର ଶାସନ ସଚିବ ଓ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ ।ବୈଠକର ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ରାଜ୍ୟ ସରକାରଙ୍କ ବିଭିନ୍ନ ଉଲ୍ଲେଖନୀୟ ଯୋଜନା ଓ କାର୍ଯ୍ୟକ୍ରମର ସଫଳତା ଯଥା ମହିଳା ଉଦ୍ୟୋଗୀ ପ୍ଲାଟଫର୍ମ ( ଡବ୍ଲୁଇପି)ର ଶୁଭାରମ୍ଭ, କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ପୁଷ୍ଟିକର ଖାଦ୍ୟ ବ୍ୟବସ୍ଥାର ସୁଦୃଢୀକରଣ, ଯାନ୍ତ୍ରିକ ଓ ବୈଷୟିକ ଶିକ୍ଷାରେ ସଂରକ୍ଷଣ ବୃଦ୍ଧି ଏବଂ ରାଜ୍ୟର କ୍ରୀଡ଼ା, ଶିଳ୍ପ ଓ ଷ୍ଟାର୍ଟଅପ୍ କ୍ଷେତ୍ରର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ l ରାଜ୍ୟରେ ସୁଶାସନକୁ ଅଧିକ ଫଳପ୍ରଦ, ସ୍ୱଚ୍ଛ ଓ ନାଗରିକକୈନ୍ଦ୍ରିକ କରିବା, ପ୍ରଯୁକ୍ତି ଓ ପ୍ରମାଣଭିତ୍ତିକ ନୀତି ନିର୍ମାଣକୁ ପ୍ରୋତ୍ସାହନ ଦେବା, ବିଭାଗୀୟ କାର୍ଯ୍ୟଦକ୍ଷତାର ସମୀକ୍ଷା ସହ ବିଭିନ୍ନ ପ୍ରମୁଖ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ଏହି ବୈଠକର ପ୍ରମୁଖ ପ୍ରସଙ୍ଗ ଥିଲା । ବୈଜ୍ଞାନିକ ଗବେଷଣା, ତଥ୍ୟ ବିଶ୍ଳେଷଣ ଏବଂ କ୍ଷେତ୍ରସ୍ତରୀୟ ପରୀକ୍ଷଣ ମାଧ୍ୟମରେ ସରକାରୀ ଯୋଜନାର ପ୍ରଭାବକୁ ଅଧିକ ସୁଦୃଢ଼ କରିବା ସହ ସମ୍ବଳର ସଠିକ୍ ବ୍ୟବହାର ଓ ଉତ୍ତମ ନୀତି ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଓଡ଼ିଶାରେ ଶିକ୍ଷା, କୃଷି, ଶ୍ରମ, ଖାଦ୍ୟ ଯୋଗାଣ, ମହିଳା ସଶକ୍ତିକରଣ ଓ ସୁଶାସନ କ୍ଷେତ୍ରରେ “ଜେ ପଲ୍” ସହ ଚାଲିଥିବା ସହଭାଗିତାକୁ ଆହୁରି ବିସ୍ତାର କରିବା ନେଇ ଆଲୋଚନା ହୋଇଥିଲା। ଭବିଷ୍ୟତରେ କୃଷି, ଜଳବାୟୁ ପରିବର୍ତ୍ତନ, ମହିଳା ଆର୍ଥିକ ସଶକ୍ତିକରଣ, ପ୍ରବାସୀ ଶ୍ରମିକ, ଶ୍ରମବଜାର ଓ କୃତ୍ରିମ ବୁଦ୍ଧିମତ୍ତା ଭଳି କ୍ଷେତ୍ରରେ ଗବେଷଣା ଏବଂ ନୀତିଗତ ସହଯୋଗ ବୃଦ୍ଧି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।
ଅର୍ଥ ବିଭାଗ ପକ୍ଷରୁ ୩୦ ଜୁନ ୨୦୨୬ ସୁଦ୍ଧା ରାଜ୍ୟର ବ୍ୟୟ ଓ ରାଜସ୍ୱ ସ୍ଥିତିର ସମୀକ୍ଷା କରାଯାଇଥିଲା। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ମୋଟ କାର୍ଯ୍ୟକ୍ରମ ବ୍ୟୟ ଗତବର୍ଷ ତୁଳନାରେ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଥିବାବେଳେ କୃଷି, ସାମାଜିକ କ୍ଷେତ୍ର ଓ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଅଗ୍ରଗତି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ସମସ୍ତ ବିଭାଗକୁ ବଜେଟର ଫଳପ୍ରଦ ବ୍ୟବହାର, ପୁଞ୍ଜି ବ୍ୟୟରେ ଗତି ଆଣିବା ଓ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ କୃତ୍ରିମ ବୁଦ୍ଧିମତା ଆଧାରିତ ଓଡ଼ିଆ ଭାଷାର ଭଏସ୍ ବୋଟ୍ ସମ୍ପର୍କରେ ଉପସ୍ଥାପନା କରାଯାଇଥିଲା। ସରକାରୀ ଯୋଜନାଗୁଡିକର ହିତାଧିକାରୀଙ୍କ ସହ ଓଡ଼ିଆ ଭାଷାରେ ସିଧାସଳଖ କଥୋପକଥନ କରି ମତାମତ ସଂଗ୍ରହ, ସେବାର ଗୁଣବତ୍ତା ଆକଳନ ଏବଂ ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣରେ ଏହି ବ୍ୟବସ୍ଥା ସହାୟକ ହେବ ବୋଲି ଆଶା କରାଯାଉଛି । ସେହିପରି ପୁରୁଣା ହସ୍ତଲିଖିତ ରେକର୍ଡକୁ ଡିଜିଟାଲାଇଜ୍ କରି ଶାସନ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ଓଡ଼ିଆ ଅକ୍ଷର ଚିହ୍ନଟ ପ୍ରଯୁକ୍ତି (ଓସିଆର)ର ସମ୍ଭାବନା ଉପସ୍ଥାପନ କରାଯାଇଥିଲା।ଝାରସୁଗୁଡ଼ାକୁ ଏକ ସମନ୍ୱିତ ବିକାଶ ମଡେଲ୍ ଭାବେ ଗଢ଼ି ତୋଳିବା ପାଇଁ ୨୫ଟି ରଣନୀତିକ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ନେଇ ଆଲୋଚନା କରାଯାଇଥିଲା l ସ୍ୱାସ୍ଥ୍ୟ , ଶିକ୍ଷା, ଶିଳ୍ପ, ଗମନାଗମନ, ବିମାନବନ୍ଦର ସମ୍ପ୍ରସାରଣ, ଡିଜିଟାଲ୍ ସେବା ଓ ସବୁଜ ଶକ୍ତି ଭଳି କ୍ଷେତ୍ରରେ ପଦକ୍ଷେପ ଜିଲ୍ଲାର ସର୍ବାଙ୍ଗୀଣ ବିକାଶ ଏବଂ ନୂତନ ରୋଜଗାରର ଦ୍ୱାର ଖୋଲିବ। ଏ ସମ୍ପର୍କରେ ଝାରସୁଗୁଡା ଜିଲ୍ଲାପାଳ ଶ୍ରୀ କୁନାଲ ମୋତିରାମ ଚହ୍ୱାନ, ଉପସ୍ଥାପନା କରିଥିଲେ l ତତ ସହିତ ଜନକଲ୍ୟାଣ, ନିବେଶ ଆକର୍ଷଣ ଓ ରୋଜଗାର ସୃଷ୍ଟିକୁ ପ୍ରାଥମିକତା ଦେଇ ବିକଶିତ ଝାରସୁଗୁଡା ଗଠନ ଦିଗରେ ପ୍ରଶାସନର ଦୃଢ଼ ପଦକ୍ଷେପ ନେଇ ସେ ରୋଡମ୍ୟାପ ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ ।ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏସ୍ଆଇଆର (SIR) କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନା କରାଯାଇଥିଲା। ନିର୍ବାଚନୀ ତାଲିକାକୁ ଅଧିକ ସଠିକ୍ ଓ ତ୍ରୁଟିମୁକ୍ତ କରିବା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନଙ୍କ ସକ୍ରିୟ ସହଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା।ଆସନ୍ତା ପବିତ୍ର ରଥଯାତ୍ରା ପରବର୍ତ୍ତୀ ସମସ୍ତ କାର୍ଯ୍ୟ ଓ ଜନସେବା ବ୍ୟବସ୍ଥାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ‘ଟିମ୍ ଓଡ଼ିଶା’ ଆଭିମୁଖ୍ୟରେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ, ଓଡ଼ିଶାର ବିକାଶ ଯାତ୍ରାକୁ ଅଧିକ ଗତିଶୀଳ କରିବା ପାଇଁ ତଥ୍ୟଭିତ୍ତିକ ନିଷ୍ପତ୍ତି, ପ୍ରଯୁକ୍ତିର ସର୍ବାଧିକ ବ୍ୟବହାର, ବିଭାଗୀୟ ସମନ୍ୱୟ, ସମୟବଦ୍ଧ କାର୍ଯ୍ୟାନ୍ୱୟନ ଏବଂ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦେଇଥିଲେ।