୫୪ତମ ଇଣ୍ଡିଆନ୍‍ ପାନୋରମା ୨୦୨୩ରେ ସ୍କ୍ରିନିଂ ପାଇଁ ‘ସି ଆଣ୍ଡ ସେଭେନ୍‍ ଭିଲେଜେସ୍‍’ ମନୋନୀତ

ଭୁବନେଶ୍ୱର ୨୬ ।୧୦: ଅଚ୍ୟୁତ ସାମନ୍ତଙ୍କ ନିବେଦିତ ଖ୍ୟାତି ସମ୍ପନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶିତ ପ୍ରାମାଣିକ ଓଡ଼ିଆ ଚଳଚ୍ଚିତ୍ର ‘ସି ଆଣ୍ଡ ସେଭେନ୍‍ ଭିଲେଜେସ୍‍’ ନଭେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆଠାରେ ଅନୁଷ୍ଠିତ ହେବାକୁ ଥିବା ୫୪ତମ ଇଣ୍ଟରନ୍ୟାସ୍‍ନଲ୍‍ ଫଲ୍ମ ଫେଷ୍ଟିଭଲ୍‍ ଅଫ୍‍ ଇଣ୍ଡିଆର (ଆଇଏଫ୍‍ଏଫ୍‍ଆଇ)ର ଇଣ୍ଡିଆନ୍‍ ପାନୋରମା ୨୦୨୩ରେ ପ୍ରଦର୍ଶିତ ହେବ । ଏଥିରେ ମୋଟ ୨୫ଟି ଫିଚର ଫିଲ୍ମ ପ୍ରଦର୍ଶିତ ହେବାକୁ ଥିବା ବେଳେ ୨୦ଟି ନନ ଫିଚର ଫିଲ୍ମ ପ୍ରଦର୍ଶିତ ହେବ । କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ ଦ୍ୱାରା ଆୟୋଜିତ ଇଣ୍ଡିଆନ୍‍ ପାନୋରମାରେ ପ୍ରଦର୍ଶିତ ହେବା ନିମନ୍ତେ ଏହି ସବୁ ଚଳଚ୍ଚିତ୍ର ମନୋନୀତ ହୋଇଛି । ସେଥିମଧ୍ୟରୁ ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶିତ ‘ସି ଆଣ୍ଡ ସେଭେନ୍‍ ଭିଲେଜେସ୍‍’ ଅନ୍ୟତମ । ପୂର୍ବରୁ ଏହି ସିନେମାଟି ଆମେରିକାର ଲେନ୍‍ ଡକ୍‍ ଫିଲ୍ମ ଫେଷ୍ଟିଭଲ, ଇଣ୍ଟରନ୍ୟାସ୍‍ନାଲ୍‍ ଡକ୍ୟୁମେଣ୍ଟ ଆଣ୍ଡ ସଟ୍‍ ଫିଲ୍ମ ଫେଷ୍ଟିଭଲ ଅଫ୍‍ କେରଳ, ଜାଗରଣ ଫିଲ୍ମ ଫେଷ୍ଟିଭଲ, ମଦୁରାଇ ଇଣ୍ଟରନ୍ୟାସ୍‍ନାଲ୍‍ ଡକ୍ୟୁମେଣ୍ଟାରୀ ସଟ୍‍ ଫିଲ୍ମ ଫେଷ୍ଟିଭଲ୍‍, ୧୦ମ ସିଲିଗୁଡ଼ି ସଟ୍‍ ଆଣ୍ଡ ଡକ୍ୟୁମେଣ୍ଟାରୀ ଫିଲ୍ମ ଫେଷ୍ଟିଭଲ ଆଦି ଦେଶ ଓ ବିଦେଶର ଅନେକ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି ।
 କେନ୍ଦ୍ରାପଡ଼ା ଜିଲ୍ଲା ସାତଭାୟା ଅଞ୍ଚଳରେ ହେଉଥିବା ସମୁଦ୍ର ପତ୍ତନ ବୃଦ୍ଧି, ସମୁଦ୍ର ପ୍ରଭାବରେ କିଭଳି ଉକକୂଳ କ୍ଷୟ ହେବାରେ ଲାଗିଛି, ବାରମ୍ବାର ଘୂର୍ଣ୍ଣିବଳୟ ଓ ଉପକୂଳବର୍ତ୍ତୀ ଜମିର ପରିଚାଳନାଗତ ତ୍ରୁଟି ଯୋଗୁଁ କିଭଳି ବଙ୍ଗୋପସାଗର ଏହି ଅଞ୍ଚଳର ସାତୋଟି ଗ୍ରାମକୁ ନଷ୍ଟ କରିଦେଇଛି ତା ଉପରେ ଶ୍ରୀ ଖଟୁଆ ଦୀର୍ଘ ଦିନ ଧରି ଗବେଷଣା କରିବା ସହ ଏହି ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ କରିଛନ୍ତି । ଜଳବାୟୁ ପରିବର୍ତ୍ତନ ଓ ସାତଭାୟା ଅଞ୍ଚଳ ଉପରେ ଏହାର ପ୍ରଭାବ ଉପରେ ଏହି ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଛି । ବିଶେଷ କରି ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏଠାରେ ବାସଗୃହ, ଚାଷଜମି ଓ ସମଗ୍ର ଜନବସତି କିଭଳି ନଷ୍ଟ ହୋଇଯାଇଛି ତାହା ବର୍ଣ୍ଣନା କରାଯାଇଛି । ସୂଚନାଯୋଗ୍ୟ, ଚଳଚ୍ଚିତ୍ର ନିର୍ମାତାମାନଙ୍କ ପାଇଁ ସେମାନଙ୍କ ସର୍ଜନାତ୍ମକ ଚିନ୍ତାଧାରା ଉପରେ ନୂଆ କିଛି କରି ଦେଖାଇବା ନିମନ୍ତେ କେରଳ ଚଳଚ୍ଚିତ୍ର ମହୋତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ । ଏହି ପ୍ରାମାଣିକ ଚଳଚ୍ଚିତ୍ରରେ ସାତାଭାୟା ଅଞ୍ଚଳର ଲୋକଙ୍କ ଜୀବନ ଓ ସଂଘର୍ଷର ବାସ୍ତବ ଚିତ୍ରକୁ ଉପସ୍ଥାପନ କରାଯିବା ସହ ଜଳବାୟୁର ପ୍ରଭାବ ଓ ସେଥିନେଇ ଅସୁରକ୍ଷିତ ସମ୍ପ୍ରଦାୟକଙ୍କ ସୁରକ୍ଷା ନେଇ ବିଶେଷ ଗୁରୁତ୍ୱ ଦିଆଯାଇଛି । କାଦମ୍ବିନୀ ମିଡ଼ିଆ ବ୍ୟାନରରେ ପ୍ରସ୍ତୁତ ଏହି ପ୍ରାମାଣିକ ଚଳଚ୍ଚିତ୍ରକୁ ଡ. ଇତି ସାମନ୍ତ ପ୍ରଯୋଜନା କରିଛନ୍ତି ।