ମୋତେ ଗାଳି କର କିନ୍ତୁ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଧ୍ୟାନ ଦିଅ-ଧର୍ମେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶାର ଗର୍ଭବତୀ ମାଆ, ନବଜାତ ଶିଶୁ, କିଶୋର କିଶୋରୀଙ୍କ ଅବସ୍ଥା ଚିନ୍ତାଜନକ ।  ରାଜ୍ୟରେ ଅପପୁଷ୍ଟି, ଶିଶୁମୃତ୍ୟୁ ହାର, ମହିଳା ମାନଙ୍କ ରକ୍ତହୀନତା ସମସ୍ୟା ଏକ ପ୍ରମୁଖ ପ୍ରସଙ୍ଗ । ବୟସ ଓ ଉଚ୍ଚତା ଅନୁସାରେ ନବଜାତ ଶିଶୁଙ୍କ ଶାରିରୀକ ଓ ମାନସିକ ବିକାଶ ହେଉନାହିଁ । ଜନଜାତି ପିଲା ଓ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନାହିଁ । ଏହା କେବଳ ବିରୋଧୀ ଦଳର ଅଭିଯୋଗ ନୁହେଁ ବରଂ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ସର୍ଭେର ରିପୋର୍ଟ କହୁଛି ।

ତେବେ ଏ ସବୁ ପାଇଁ ରାଜ୍ୟ ସରକାର ଦାୟୀ ।  ଓଡ଼ିଶାରେ ଗଭର୍ଣ୍ଣାନ୍ସର ଅଭାବ କାରଣରୁ ଏହି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଜନ୍ମ ନେଉଥିବା ଶିଶୁଙ୍କୁ ନେଇ ଦେଶ ଅମୃତ ମହୋତ୍ସବ ପାଳନ କରିବ । ପ୍ରାୟ ୧୩ ବର୍ଷ ପରେ ୨୦୩୬ରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ । ଅର୍ଥାତ୍ ଆଜିର ୧୦ ବର୍ଷର ପିଲା ସେ ସମୟରେ ୨୩ ବର୍ଷର ଯୁବକ ହେବ ।

ସେହି ପିଲାର ଦୃଢ ଇଚ୍ଛାଶକ୍ତି  ଓଡ଼ିଶା ପରିବର୍ତ୍ତନର ବଡ଼ ଭରସା ହେବ । ମାତ୍ର ବର୍ତ୍ତମାନରୁ ସେମାନଙ୍କର ସ୍ୱାସ୍ଥ୍ୟ ଓ ଶରୀରର ଯତ୍ନନେବାକୁ ହେବ । ମାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦୀର୍ଘ ବର୍ଷ ଧରି ଅନୁରୋଧ କରାଯିବା ପରେ ମଧ୍ୟ ସେ ଏ ଦିଗ ପ୍ରତି ଧ୍ୟାନ ନ ଦେବା ଦୁଃଖର ବିଷୟ ।