ସ୍କୁଲରେ ବିସ୍ଫୋରଣ, ୩ ଛାତ୍ର ଗୁରୁତର

ବାଲିଗୁଡା:କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ରୁତୁଙ୍ଗିଆ ପଞ୍ଚାୟତର ସେଣ୍ଟ୍ ଯାଭିଅର ସ୍କୁଲରେ ଅଘଟଣ I ଛାତ୍ରଙ୍କ ପକେଟରେ ବାଣ ବିସ୍ଫୋରଣରେ ୩ ଜଣ ଛାତ୍ର ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା ସମସ୍ତ ଛାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି I

ସୂଚନା ଅନୁଯାୟୀ, ଆଜି ସକାଳୁ ସ୍କୁଲରେ ମଧ୍ୟାହ୍ନ ବିରତି ସମୟରେ ହଷ୍ଟେଲ ରେ ରହି ପଢ଼ୁଥିବା ୫ ଶ୍ରେଣୀର କିଛି ଛାତ୍ର ସ୍କୁଲ ହତା ବାହାରକୁ ଯାଇଥିଲେ I ଫେରିବା ସମୟରେ ପରିତ୍ୟକ୍ତ ସ୍ଥାନରେ ପଡ଼ିଥିବା ଏକ ବିସ୍ଫୋରକ ସାମଗ୍ରୀ ପାଇଥିଲେ। ଏହାକୁ ଆଣି ସ୍କୁଲ ଭିତରେ ଖୋଲୁଥିବା ସମୟରେ ଏହା ପକେଟ ଭିତରେ ଫୁଟି ଯାଇଥିଲା I ଭୟଙ୍କର ଶବ୍ଦ ହେବାରୁ ସ୍କୁଲ ର ଶିକ୍ଷକ ଓ ଅନ୍ୟ କର୍ମଚାରୀ ମାନେ ଦୌଡ଼ି ଆସିଥିଲେ I ଏହି ସମୟରେ ତିନି ଛାତ୍ର ରକ୍ତ ଜୁଡ଼ୁବୁଡ଼ୁ ହୋଇ ତଳେ ପଡ଼ି ରହିଥିଲେ। ସଙ୍ଗେ ସଙ୍ଗେ ସେମାନଙ୍କୁ ସ୍ଥାନୀୟ ଉପଖଣ୍ତ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏଥିରୁ ଦୁଇଜଣ ଗୁରୁତର ଅଛନ୍ତି। ସମସ୍ତ ଗୁରୁତର ଓ ଆହତ ଛାତ୍ରମାନଙ୍କୁ ପ୍ରଥମେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଆଣି ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଆହତ ଛାତ୍ର ମାନେ ହେଲେ ଯଶ ନାୟକ(ଗାଁ ବଉଦୁଙ୍ଗିଆ) ,ଆଶିଷ ନାୟକ(ଗାଁ କମ୍ବାଡି) ଓ ନିହାଲ ନାୟକ(ଗାଁ ଡଙ୍ଗାମିଲା) ଆହତ ହୋଇଥିବା ଜଣାପଡିଛି। ତେବେ ଏମାନଙ୍କ ମଧ୍ୟରୁ ଯଶ ନାୟକର ଡାହାଣ ହାତର ପାପୁଲି ଫାଟି ଯିବା ସହ ପିଚା ଓ ଜଂଘରେ ଗଭୀର ଆଘାତ ହୋଇ ଗୁରୁତର ଥିବାରୁ ତାକୁ ପ୍ରାଥମିକ ଚିକିତ୍ସା କରାଇ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି। ଅନ୍ୟ ଦୁଇ ଜଣ ମଧ୍ୟରୁ ଆଶିଷ ନାୟକର ହାତ ଓ ପେଟରେ ମାଡ ହୋଇଛି ତାଙ୍କୁ ମଧ୍ୟ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ଓ ନିହାଲ ନାୟକ ଛାତିରେ ବୋମାର ଲୁହାଖଣ୍ଡ ବାଜି ଆଘାତ ହୋଇଛି ତାଙ୍କୁ ଜିଲ୍ଲା ଚିକିତ୍ସାଳୟ ଫୁଲବାଣୀକୁ ସ୍ଥାନାନ୍ତର କରାଯାଇଛି। ଏହି ତିନିଜଣ ପଂଚମ ଶ୍ରେଣୀରେ ପାଠ ପଢୁଛନ୍ତି।

ଏହାକୁ ନେଇ ସ୍କୁଲର ପ୍ରଧାନଶିକ୍ଷକ ଭିକ୍ଟର ଯୋଶେଫ ବାଲିଗୁଡା ଥାନାରେ ଲିଖିତ ଆକାରରେ ଜଣାଇଛନ୍ତି। ବାଲିଗୁଡା ଏସଡିପିଓ ରୋହିତ ବର୍ମା ଘଟଣାସ୍ଥାଳକୁ ଯାଇ ତଦନ୍ତ କରୁଥିବା ସୂଚନା ମିଲିଛି।