ଓଡ଼ିଶାର ରପ୍ତାନୀ କ୍ଷେତ୍ରର ବିକାଶ ପାଇଁ ଏସ୍‌ବିଆଇର ବଡ଼ ଯୋଜନା

ଭୁବନେଶ୍ୱର: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ) ସରକାର ସହିତ ସୁସମ୍ପର୍କକୁ ଅଗ୍ରାଧିକାର ଦେଇ ଆସୁଅଛି ଓ ‘ମେକ୍ ଇନ୍ ଓଡ଼ିଶା’ କାର୍ଯକ୍ରମକୁ ସଫଳ କରିବା ପାଇଁ ଲକ୍ଷ୍ୟ ରଖିଛି । ଏବେ ମୁମ୍ବାଇରେ ହୋଇଥିବା ଓଡ଼ିଶା ଇନ୍‌ଭେଷ୍ଟର ମିଟ୍‌- ୨୦୨୨ ରେ ଏସବିଆଇର ଚେୟାରମେନ୍ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏସ୍‌ବିଆଇ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଋଣ ଯଥା ପିଏମ୍‌ଇଜିପି, ମୁଦ୍ରା ଇତ୍ୟାଦିରେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବାର ପ୍ରତିଶ୍ରୁତି ଦେଇଥିଲା । ତେବେ ଓଡ଼ିଶାର ରପ୍ତାନୀ କ୍ଷେତ୍ରର ବିକାଶ ପାଇଁ ଷ୍ଟେଟ ବ୍ୟାଙ୍କ ବଡ଼ ଯୋଜନା ରଖିଛି । ଚଳିତ ଆର୍ôଥକ ବର୍ଷ ୨୦୨୨-୨୩ରେ ଏହି କ୍ଷେତ୍ରରେ ୧୦୦୦ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଛି । ଏବେ ରପ୍ତାନୀ କ୍ଷେତ୍ରକୁ ବ୍ୟାଙ୍କ ଦେଇଥିବା ପାଣ୍ଠି ପରିମାଣ ୩୦୦ କୋଟି ଟଙ୍କା ରହିଛି । ଏବର୍ଷ ସେଥିରେ ୩୦୦% ବୃଦ୍ଧି ଆଣିବାକୁ ଲକ୍ଷ୍ୟ ରଖାଯାଇଛି । ରପ୍ତାନୀରେ ଚିଙ୍ଗୁଡ଼ି, ସି-ଫୁଡ ଓ କୃଷିଜାତ ସାମଗ୍ରୀ ଉପରେ ଅଧିକ ଧ୍ୟାନ ଦିଆଯିବ ବୋଲି ଏସବିଆଇର ମୁଖ୍ୟ ମହାପ୍ରବନ୍ଧକ ଚନ୍ଦର ଶେଖର ଶର୍ମା ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଏହା ବ୍ୟତୀତ ସେ କହିଛନ୍ତି ଯେ ଷ୍ଟ୍ରାର୍ଟ ଅପ୍‌, ରିୟଲ ଇଷ୍ଟେଟ, ଏସ୍‌ଏମ୍‌ଇ, ଇଥାନଲ ପ୍ରକଳ୍ପ ଓ ଧାର୍ମିକ ସ୍ଥଳରେ ଭିତ୍ତିଭୂମି ବିକାଶ ପ୍ରକଳ୍ପ ଉପରେ ମଧ୍ୟ ଧ୍ୟାନ ଦେଉଛୁ । ଷ୍ଟାର୍ଟ ଅପ୍‌ଗୁଡ଼ିକ ଲାଗି ଉତ୍ସର୍ଗୀକୃତ ଶାଖା ସ୍ଥାପନ କରିବା ଲାଗି କ’ଣ ସମ୍ଭାବନା ରହିଛି, ତାହା ଜାଣିବା ଲାଗି ବ୍ୟାଙ୍କ ରାଜ୍ୟରେ ବିଭିନ୍ନ ଶିଳ୍ପସଂଘ ସହ ମଧ୍ୟ ଆଲୋଚନା କରୁଛି । ରାଜ୍ୟରେ ସ୍ଥାପନ ହେଉଥିବା ଦୁଇଟି ପ୍ରକଳ୍ପକୁ ବ୍ୟାଙ୍କ ପାଣ୍ଠି ପ୍ରଦାନ କରିଛି । ଆଉ ତିନୋଟି ପ୍ରତିଷ୍ଠାନ ସହ ଆଲୋଚନା ଜାରି ରହିଛି । ସେହିପରି ପୁରୀରେ ମଧ୍ୟ ୩ଟି ହୋଟେଲ ସ୍ଥାପନ ପାଇଁ ବ୍ୟାଙ୍କ ପାଣ୍ଠି ପ୍ରଦାନ କରିଛି । ରିୟଲ ଇଷ୍ଟେଟ କ୍ଷେତ୍ରରେ ଷ୍ଟେଟ ବ୍ୟାଙ୍କ ୩-୪ଟି ବଡ ବିଲଡର ସଂସ୍ଥାକୁ ପାଣ୍ଠି ପ୍ରଦାନ କରିଛି ବୋଲି ଶ୍ରୀ ଶର୍ମା କହିଛନ୍ତି ।
ଚଳିତ ଆର୍ôଥକ ବର୍ଷ ୨୦୨୨-୨୩ ରେ ଏସଏମଇ କ୍ଷେତ୍ରକୁ ବ୍ୟାଙ୍କ ୨୦୦୦ କୋଟି ଟଙ୍କା ଓ ରିୟଲ ଇଷ୍ଟେଟ କ୍ଷେତ୍ରକୁ ୧୦୦୦ କୋଟି ଟଙ୍କା ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ଏହା ବ୍ୟତୀତ ଅଗ୍ରୀମରେ ୧୫୦୦୦ କୋଟି ଟଙ୍କା ଓ ଜମାରେ ୪୦-୫୦ ହଜାର କୋଟି ଟଙ୍କାର ବୃଦ୍ଧି ଆଣିବାକୁ ବ୍ୟାଙ୍କ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି । ଏହି ପାର୍ବଣରେ ବ୍ୟାଙ୍କ ବ୍ୟକ୍ତିଗତ ଋଣ ଏକ୍ସପ୍ରେସ କ୍ରେଡିଟରେ ବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛି ଯେଉଁଥିରେ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ରିହାତି ରହିଛି । ସରକାରଙ୍କ ଯେତେସବୁ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟକ୍ରମ ରହିଛି , ସେଥିରେ ଅଧିକରୁ ଅଧିକ ଲୋକଙ୍କୁ ଷ୍ଟେଟ ବ୍ୟାଙ୍କ ଯୋଡ଼ିବା ପାଇଁ ଉଦ୍ୟମ କରୁଛି । ଏବେ ଓଡ଼ିଶାରେ ଷ୍ଟେଟ ବ୍ୟାଙ୍କର ୮୮୫ ଶାଖା , ୩୪୦୦ ଏଟିଏମ୍ ସହ ପ୍ରାୟ ୧୦୦୦୦ ଟଚ୍ ପଏଣ୍ଟ ରହିଛି । ରାଜ୍ୟରେ ନିଜର ଉପସ୍ଥିତିକୁ ବଢାଇବା ଲାଗି ବ୍ୟାଙ୍କ ପକ୍ଷରୁ ୩-୪ ଟି ଦୁର୍ଗମ ଜିଲ୍ଲାରେ ବର୍ଷକ ଭିତରେ ୨୦ ରୁ ୨୫ଟି ନୂଆ ଶାଖା ଖୋଲାଯିବ । ଏହା ବ୍ୟତୀତ ଭୁବନେଶ୍ୱର-କଟକ ଜାତୀୟ ରାଜପଥରେ ବ୍ୟାଙ୍କ ତିନୋଟି ନୂଆ ଶାଖା ସ୍ଥାପନ କରିବାକୁ ଯୋଜନା କରିଛି ବୋଲି ଶ୍ରୀ ଶର୍ମା କହିଛନ୍ତି । ଏହି ଅବସରରେ ଶ୍ରୀ ଶର୍ମା ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ବିଜୁ ପଟ୍ଟନାୟକ ଆୱାର୍ଡ, ଆର କେ ତଲୱାର ଆୱାର୍ଡ ଓ କଳିଙ୍ଗ ଆୱାର୍ଡ ଘୋଷଣା କରିଅଛନ୍ତି । ଏହି ଆୱାର୍ଡ ପ୍ରତି ବର୍ଷ ଜାନୁଆରୀ ୨୬ରେ ଦିଆଯିବ ବୋଲି ଶ୍ରୀ ଶର୍ମା କହିଛନ୍ତି ।