ସାଉଦୀ ପ୍ରିନ୍ସଙ୍କ ପାକିସ୍ତାନ ଗସ୍ତ ରଦ୍ଦ

ଇସ୍‌ଲାମାବାଦ: ସାଉଦୀ ଆରବ ପ୍ରଧାନମନ୍ତ୍ରୀ ତଥା କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ୍ ନଭେମ୍ବର ୨୧ ତାରିଖରୁ ହେବାକୁ ଥିବା ନିଜର ପାକିସ୍ତାନ ଗସ୍ତକୁ ରଦ୍ଦ କରିଦେଇଛନ୍ତି । ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ମଧ୍ୟ ଏହା ସ୍ପଷ୍ଟ କରିଛି । କାଙ୍ଗାଳ ହେବାର ଦ୍ୱାରଦେଶରେ ପହଞ୍ଚିଥିବା ପାକିସ୍ତାନକୁ ଏହି ଗସ୍ତ ଅବସରରେ ପ୍ରିନ୍ସ ସଲମାନ୍ ୪.୧ ବିଲିୟନ୍ ଡଲାରର ନୂଆ ଲୋନ୍ ଦେବାର ଥିଲା । ତେଣୁ ତାଙ୍କର ଏହି ଗସ୍ତକୁ ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ୍ ସରିଫ୍ ଆତୁର ଭାବେ ଅପେକ୍ଷା କରିଥିଲେ । ମିଡିଆ ରିପୋର୍ଟ ଅନୁସାରେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କ ଲଙ୍ଗ୍ ମାର୍ଚ୍ଚ କାରଣରୁ ପାକିସ୍ତାନରେ ଅଶାନ୍ତି ଏବଂ ଉତ୍ତେଜନା ପରିସ୍ଥିତି ଜାରି ରହିଥିବା କାରଣରୁ ପ୍ରିନ୍ସ ସଲମାନ୍ ନିଜ ଗସ୍ତକୁ ରଦ୍ଦ କରିଦେଇଛନ୍ତି । ଶୀଘ୍ର ନିର୍ବାଚନ ଦାବିରେ ଇମ୍ରାନ୍ ଇସ୍‌ଲାମାବାଦ୍‌ରେ ଧାରଣା ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।
ଗତମାସରେ ଶାହବାଜ୍ ସରିଫ୍ ସାଉଦି ଆରବ ଗସ୍ତ କରିଥିଲେ । ପ୍ରଥମ ଥର ପାଇଁ ଏହି ଯାତ୍ରା ଅବସରରେ ସାଉଦୀ ଆରବ ପାକିସ୍ତାନକୁ କୌଣସି ସହାୟତାର ଘୋଷଣା କରିନଥିଲା । ଅବଶ୍ୟ ଏହା ସ୍ଥିର ହୋଇଥିଲା ଯେ ପ୍ରିନ୍ସ ସଲମାନ ନଭେମ୍ବର ଶେଷ ଆଡ଼କୁ ପାକିସ୍ତାନ ଗସ୍ତରେ ଆସି ବଡ଼ ସହାୟତାର ଘୋଷଣା କରିବେ । ଏହାପରେ ପ୍ରିନ୍ସଙ୍କ ଗସ୍ତକୁ ଚାତକ ପରି ପାକ୍ ସରକାର ଚାହିଁରହିଥିଲେ । ଅନ୍ୟପକ୍ଷରେ ଏ ସମ୍ପର୍କରେ ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ସ୍ପଷ୍ଟ ଭାବେ କିଛି କହୁନାହିଁ । ମନ୍ତ୍ରଣାଳୟ ଅନୁସାରେ ଏହି ଗ୍ରସ୍ତ ରଦ୍ଦ ହୋଇନାହିଁ ବରଂ ସ୍ଥଗିତ ରହିଛି ।