ତିହାରରେ ବନ୍ଦ ସତ୍ୟେନ୍ଦ୍ର ଜୈନ୍‌ଙ୍କ ସୁବିଧା ହ୍ରାସ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ତିହାର ଜେଲ୍‌ରେ ବନ୍ଦ ଦିଲ୍ଲୀର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ମିଳୁଥିବା ସୁବିଧା ହ୍ରାସ କରାଯାଇଛି । ଜୈନ୍‌ଙ୍କ ସେଲ୍‌ରୁ ଚେୟାର୍‌, ଟେବଲ୍‌, ଦରୀ ମଧ୍ୟ ହଟାଇ ଦିଆଯାଇଛି । ଏବେ ତାଙ୍କ ସେଲ୍‌ରେ କେବଳ ଟିଭି ରହିଛି । ଏହି ଦଣ୍ଡ ତାଙ୍କୁ ୧୫ ଦିନ ପାଇଁ ମିଳିଛି । ଏହି ଅବସରରେ ସେ କାହାରିକୁ ମଧ୍ୟ ଭେଟିପାରିବେ ନାହିଁ । ତାଙ୍କ ବିରୋଧରେ ଜେଲ୍ ମାନୁଆଲ୍ ଉଲ୍ଲଂଘନ ଅଭିଯୋଗ ହେବା ପରେ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ପକ୍ଷରୁ ଗଠିତ କମିଟିର ସୁପାରିସ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଗତ ମାସରେ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ କେକେଟ୍ ଭିଡିଓ ଫୁଟେଜ୍ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେଲ୍‌ରେ ସେ ବେଶ୍ ସୁବିଧା ସୁଯୋଗ ନେଉଥିବା ଦେଖିବାକୁ ମିଳିଥିଲା । ଫୁଟେଜ୍‌ରେ କେତେକ କଏଦୀ ତାଙ୍କର ମାଲିସ୍ କରୁଥିବା ବେଳେ ସେ ସେଲ୍‌ରେ ଚେୟାର୍‌, ଟେବଲ୍ ଏବଂ ଦରୀ ମଧ୍ୟ ଦେଖିବାକୁ ମିଳିଥିଲା, ଯାହା ଜେଲ୍ ମାନୁଆଲ୍‌ର ଉଲ୍ଲଂଘନ । ହାଇପାୱାର୍ କମିଟିର ରିପୋର୍ଟ ଶନିବାର ଉପରାଜ୍ୟପାଳ ଭୁକେ ସାକ୍ସେନାଙ୍କୁ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେହିପରି ଜୈନ୍‌ଙ୍କ ସହାୟତା ପାଇଁ ତାଙ୍କ ସେଲ୍‌କୁ ନଯିବା ପାଇଁ ଜେଲ୍‌ର ଅନ୍ୟ କଏଦୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ମିଡିଆ ରିପୋର୍ଟରୁ ଜଣାପଡ଼ିଛି । ଏହା ସହିତ ମନ୍ତ୍ରୀଙ୍କୁ ସେଲ୍‌ରେ ଭିଆଇପି ଟ୍ରିଟ୍‌ମେଣ୍ଟ୍ ପ୍ରଦାନ ପାଇଁ ଜେଲ୍ ପ୍ରମୁଖ ସନ୍ଦୀପ ଗୋଏଲ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ କମିଟି ସୁପାରିସ କରିଛି ।