ସତ୍ୟେନ୍ଦ୍ର ଜୈନ୍‌ଙ୍କୁ କୋର୍ଟରେ ଆଶ୍ୱସ୍ତି, ଏଣିକି ଜେଲ୍‌ରେ ମିଳିବ ମନପସନ୍ଦ ଖାଦ୍ୟ

ନୂଆଦିଲ୍ଲୀ: ମନି ଳଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇ ଜେଲ୍‌ରେ ରହିଥିବା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ଦିଲ୍ଲୀର ଏକ ଅଦାଲତରେ ଆଶ୍ୱସ୍ତି ମିଳିଛି । ସୂଚନାଯୋଗ୍ୟ ଜେଲ୍‌ରେ ତାଙ୍କୁ ଧର୍ମ ଅନୁଯାୟୀ ମନପସନ୍ଦ ଖାଦ୍ୟ ପରିବେଷଣ କରାଯାଉନାହିଁ ବୋଲି ସତ୍ୟେନ୍ଦ୍ର ଅଭିଯୋଗ କରିବା ସହ କୋର୍ଟରେ ପିଟିସନ ଦାଏର କରିଥିଲେ । ଏପରକି ଖାଦ୍ୟପେୟ ପ୍ରସଙ୍ଗରେ ସେ ଧାର୍ମିକ ରୀତିନୀତି ଅବଲମ୍ବନ କରିପାରୁନଥିବା ମଧ୍ୟ ସେ ଅଭିଯୋଗ କରିଥିଲେ । ସାଧାରଣତଃ ମନ୍ଦିର ପରିଦର୍ଶନ କରିବାପରେ ହିଁ, ସେ ଖାଦ୍ୟ ଗ୍ରହଣ କରିଥାନ୍ତି । ତେବେ ପାଞ୍ଚମାସ ହେଲା ଜେଲ୍‌ରେ ରହିଥିବାରୁ ମନ୍ଦିର ଦର୍ଶନ ସୁଯୋଗ ତାଙ୍କୁ ଜୁଟୁନାହିଁ । ତେଣୁ ସେ ବାଧ୍ୟହୋଇ କେବଳ ଫଳ ସେବନ କରୁଥିବା ସତ୍ୟେନ୍ଦ୍ର କହିଛନ୍ତି । ଘରୁ ଆସୁଥିବା ଖାଦ୍ୟ ଉପରେ ମଧ୍ୟ ଜେଲ୍ କର୍ତ୍ତୃପକ୍ଷ କଟକଣା ଜାରି କରିଥିବାରୁ ଏହା ତାଙ୍କର ଧାର୍ମିକ ଭାବନାକୁ କ୍ଷୁଣ୍ଣ କରୁଛି ବୋଲି ସତ୍ୟେନ୍ଦ୍ର ଅଭିଯୋଗ କରିଛନ୍ତି । ମେ’ ୩୧ରୁ ଗିରଫ ହୋଇ ଜେଲ୍‌ରେ ରହିଥିବାବେଳେ ତାଙ୍କୁ ମନପସନ୍ଦ ଖାଦ୍ୟ ଏବଂ ଔଷଧ ସେବନ କରିବାରୁ ବଞ୍ଚିତ କରାଯାଉଛି । ଫଳରେ ପୌଷ୍ଟିକ ଆହାର ଅଭାବରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି ବୋଲି ସେ କୋର୍ଟଙ୍କୁ ଅବଗତ କରିଛନ୍ତି । ଜୈନ୍ ସଂପ୍ରଦାୟର ବ୍ୟକ୍ତି ହୋଇଥିବାରୁ ତାଙ୍କୁ ରନ୍ଧାଖାଦ୍ୟ, ଡାଲି ଓ ଦୁଗ୍ଧ ଜାତୀୟ ଖାଦ୍ୟ ଖାଇବା ଉପରେ କଟକଣା ରହିଛି । ସୂଚନାଯୋଗ୍ୟ ଏହି ପ୍ରସଙ୍ଗରେ ଆଗତ ଅନ୍ୟ ଏକ ପିଟିସନ୍‌ର ଶୁଣାଣି ଗୁରୁବାର ସୁପ୍ରିମକୋର୍ଟରେ କରାଯିବ । ସତ୍ୟେନ୍ଦ୍ରଙ୍କ ନିକଟରୁ ଅଭିଯୋଗ ପାଇବାପରେ ସୁପ୍ରିମକୋର୍ଟ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରୁ ଜବାବ ତଲବ କରିଛନ୍ତି ।

Satyendra Jain's comfort in court