ବିଜେପି ଉପରେ ବର୍ଷିଲେ ସତ୍ୟପାଲ

ସରଗରମ ହେଉଛି ରାଜନୀତି । ୨୪ କୁ ବିଜେପି ଚିନ୍ତାରେ । ବିହାର, ଜମ୍ମୁ-କାଶ୍ମୀର, ଗୋଆ ଓ ଅନ୍ୟ କିଛି ରାଜ୍ୟର ରାଜ୍ୟପାଳ ଭାବେ ଦାୟୀତ୍ୱ ତୁଲାଇଥିବା ସତ୍ୟପାଲ ମଲ୍ଲିକ ବିଜେପି ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ଏବେ ସେ ବିଜେପିକୁ କେନ୍ଦ୍ର ଶାସନରୁ ହଟାଇବା ପାଇଁ ଅଣବିଜେପି ଦଳମାନଙ୍କ ସହ ମିଶି ବିଜେପି ବିରୋଧରେ ପ୍ରଚାର କରିବେ ବୋଲି କହିଛନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସତ୍ୟପାଲ ମଲ୍ଲିକ କହିଛନ୍ତି କି, ସେ ଅନାବଶ୍ୟକ ବିବାଦ ଭିତରକୁ ଆସିବାକୁ ଚାହୁଁନାହାଁନ୍ତି କେବଳ ବିଜେପି ବିରୋଧରେ ଲୋକଙ୍କୁ ଏକଜୁଟ କରିବାକୁ ପ୍ରତିମାସରେ ୮ରୁ ୧୦ଟି ଜନସଭା କରୁଛନ୍ତି ।

ସେପଟେ ପୂର୍ବଭଳି ଆଉ ବିଜେପି ବିରୋଧରେ ବୟାନ ଦେଉନଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି କି ସେତେବେଳେ ମୁଁ ରାଜ୍ୟପାଳ ଥିଲି, ହେଲେ ଏବେ ନାହିଁ । ଲୋକ ସବୁବେଳେ ବିବାଦ ଖୋଜୁଛନ୍ତି ହେଲେ ମୁଁ ସାଧାରଣ ଭାବେ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି । ସେପ୍ଣଙ୍କ କେନ୍ଦ୍ର ସରକାର ତାଙ୍କ ନିକଟରୁ ସୁରକ୍ଷା ହଟାଇ ନେବା ପ୍ରସଙ୍ଗରେ ସେ କହିଛନ୍ତି କି, ସୁରକ୍ଷା ଦେବା ନଦେବା ସେମାନଙ୍କ ହାତରେ ରହିଛି ତେଣୁ ତା ଉପରେ କିଛି କହିବାକୁ ସେ ମନା କରିଦେଇଥିଲେ । ଆଗାମୀ ଦିନ ପାଇଁ ସେ କୌଣସି ରାଜନୈତିକ ଦଳରେ ଯୋଗଦେବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ।

ହେଲେ ୨୦୨୪ରେ ବିଜେପି ବିରୋଧରେ ପ୍ରଚାର ଜାରି ରଖିବେ ବୋଲି ସେ କହିବା ସହ କୃଷକଙ୍କ ପାଇଁ ରାଜନୀତି କରୁଥିବା ଦଳମାନଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି କହିଛନ୍ତି । ଅନ୍ୟପଟେ ରାହୁଲ ଗାନ୍ଧୀଙ୍କ ସହ ଯାହା ଘଟିଲା ତାହା ଠିକ୍ ନୁହେଁ ବୋଲି ସେ କହିଛନ୍ତି । ସଂସଦରେ ରାହୁଲ ଗାନ୍ଧୀ ନିଜର ପକ୍ଷ ରଖିବାକୁ ଚାହୁଁଥିବା ବେଳେ ବାଚସ୍ପତି ରାହୁଲ ଗାନ୍ଧୀଙ୍କୁ ସମୟ ନଦେବା ଠିକ୍ ନୁହେଁ ବୋଲି ସତ୍ୟପାଲ ମଲ୍ଲିକ କହିଛନ୍ତି ।