ଭୁବନେଶ୍ବର: ନିଆରା ଢଙ୍ଗରେ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ ଜଣାଉଛନ୍ତି ବିଶିଷ୍ଟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପ୍ରବାସୀ ଭାରତୀୟ ଦିବସରେ ସୁଦର୍ଶନ ଓ ଟିମ ପ୍ରସ୍ତୁତ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏକ ବିଶାଳ ବାଲୁକା ଚିତ୍ରକଳା । ଏହା ମାଧ୍ୟମରେ ପ୍ରବାସୀଙ୍କୁ ମହାପ୍ରଭୁଙ୍କ ଦେଶକୁ ସ୍ୱାଗତ କରୁଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଜନତା ମୈଦାନରେ ଶୋଭା ପାଉଛି ମହାପ୍ରଭୁଙ୍କ ବାଲୁକା ପ୍ରତିକୃତି । ମହାପ୍ରଭୁଙ୍କ ବଡ଼ ସିଂହାର ବେଶକୁ ବାଲୁକା ଚିତ୍ରକଳାରେ ସ୍ଥାନ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ସହଯୋଗରେ ଏହି ବିଶାଳ ବାଲୁକା ଚିତ୍ର କଳା ନିର୍ମାଣ କରିଛନ୍ତି ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏହି ସୁନ୍ଦର ବାଲୁକା ଚିତ୍ରକଳା ଦେଖିବାକୁ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ବେଶ ଭିଡ ଜମିଛି । ଏହି ବାଲୁକା ଚିତ୍ରକଳାରେ ହଜାର ହଜାର ସଂଖ୍ୟାରେ ଫୁଲ ସଜାଯାଇଛି । ଯାହାକି ବେଶ ଆକର୍ଷଣୀୟ ହେଇଛି । ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, “ପ୍ରତ୍ୟେକ ଓଡ଼ିଆଙ୍କ ଲାଗି ସୌଭାଗ୍ୟର ଦିନ । ଓଡ଼ିଶାରେ ପ୍ରଥମ ଥର ଲାଗି ପ୍ରବାସୀ ଭାରତୀୟ ଦିବସ ଆୟୋଜନ ହେଉଛି । ଯେହେତୁ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ଭୁବନେଶ୍ୱରରେ ଆୟୋଜନ ହେଉଛି, ଆମକୁ ଏକ ବଡ଼ ସୁଯୋଗ ମିଳିଛି । ବାଲୁକା ଚିତ୍ରକଳା ମାଧ୍ୟମରେ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରିବାକୁ ସୁଯୋଗ ମିଳିଛି । ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତି, ତାଙ୍କୁ ସ୍ବାଗତ କରିବା ଲାଗି ବାଲୁକା ଚିତ୍ର କଳା ପ୍ରସ୍ତୁତ ହୋଇଛି । ଆମେ ଏଠାରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ଓଡିଶା ଆସିଛନ୍ତି, ସବୁବେଳେ ଜୟ ଜଗନ୍ନାଥ କହି କାର୍ୟ୍ୟକ୍ରମ ଆରମ୍ଭ କରିଛନ୍ତି । ମହାପ୍ରଭୁଙ୍କୁ ସେ ସ୍ମରଣ କରନ୍ତି ।”