ସନାତନ ଧର୍ମ ଆମ ଜାତୀୟ ଧର୍ମ !

ବିବାଦରେ ଯୋଗୀଙ୍କ ବୟାନ । ବିବାଦୀୟ ବୟାନକୁ ନେଇ ରାଜନୀତି ସରଗରମ ! । ଟ୍ୱିଟ ଯୋଗେ ବିରୋଧ କଲେ କଂଗ୍ରେସ ନେତା ଉଦିତ ରାଜ । ସନାତନ ଧର୍ମ ଆମ ଜାତୀୟ ଧର୍ମ ହୋଇଥିବାରୁ ପ୍ରତ୍ୟେକ ଭାରତୀୟ ସେଥି ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଉଚିତ ବୋଲି ରାଜସ୍ଥାନର ଭିନ୍‌ମଲ୍‌ରେ ଅବସ୍ଥିତ ନୀଳକଣ୍ଠ ମହାଦେବ ମନ୍ଦିର ମରାମତି ଓ ବିଗ୍ରହ ସ୍ଥାପନ ଉତ୍ସବ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତିତ୍ବ କରିବା ବେଳେ ଶୁକ୍ରବାର ଦିନ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି।

ସେ ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କହିଛନ୍ତି, ସନାତନ ଧର୍ମ ହେଉଛି ଭାରତର ‌ରାଷ୍ଟ୍ରୀୟ ଧର୍ମ। ଆମେ ସ୍ବାର୍ଥରୁ ଊର୍ଦ୍ଧ୍ବକୁ ଉଠି ପାରିଲେ ରାଷ୍ଟ୍ରୀୟ ଧର୍ମ ସହିତ ଯୋଡ଼ି ହୋଇଯାଉ। ଜାତୀୟ ଧର୍ମ ସହିତ ଯୋଡ଼ି ହୋଇପାରିଲେ ଆମ ଦେଶ ସୁରକ୍ଷିତ ରହିବ।ଐତିହ୍ୟ ପ୍ରତି ସମ୍ମାନ ପ୍ରଦର୍ଶନ କରି ତାହାକୁ ସଂରକ୍ଷଣ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ସମଗ୍ର ଦେଶବାସୀଙ୍କୁ ଶପଥ କରାଇଛନ୍ତି। ୧୪୦୦ ବର୍ଷ ପରେ ପ୍ରଭୁ ନୀଳକଣ୍ଠଙ୍କ ମନ୍ଦିର ପୁନଃରୁଦ୍ଧାର କରାଯିବା ଐତିହ୍ୟ ପ୍ରତି ସମ୍ମାନ ଓ ସୁରକ୍ଷାର ପ୍ରକୃଷ୍ଟ ଉଦାହରଣ। ଏହି କାର୍ଯ୍ୟକ୍ରମ ରେ ଯୋଗୀ ଅଦିତ୍ୟନାଥ ଓ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍‌ ରୁଦ୍ରାକ୍ଷ ଚାରା ରୋପଣ କରିଥିଲେ।

ଯୋଗୀଙ୍କ ମନ୍ତବ୍ୟକୁ ବିରୋଧ କରି କଂଗ୍ରେସ ନେତା ଉଦିତ ରାଜ ଟ୍ୱିଟ କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଲେ ସନାତନ ଧର୍ମ ଭାରତର ଜାତୀୟ ଧର୍ମ। ଏହାର ଅର୍ଥ ହେଉଛି ଶିଖ୍, ଜୈନ, ବୌଦ୍ଧ, ଖ୍ରୀଷ୍ଟ ଏବଂ ଇସ୍‌ଲାମ୍‌ ଧର୍ମ ନିଃଶେଷ ହୋଇଗଲା।